କର୍ମଚାରୀ ଓ ଓକିଲଙ୍କ ପାଇଁ ଖୁସି ଖବର, କେବଳ ୧ ଟଙ୍କାରେ ଘର ଯୋଗାଇ ଦେବେ ଯୋଗୀ ସରକାର

360

କନକ ବ୍ୟୁରୋ : ଆଗକୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ । ଦେଶର ରାଜନୀତିରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ୟୁପିରେ ଏବେ ବିଜେପିର ସରକାର ରହିଛି ଓ ସେଠାରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ରହିଛନ୍ତି । ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହିଥାନ୍ତି ଯୋଗୀ ସରକାର । ଏହି କ୍ରମରେ ପୁଣି ରାଜ୍ୟରେ ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଓକିଲମାନଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇଦେବା ନେଇ ଯୋଗୀ ସରକାର ବିଚାର କରୁଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଯୋଗୀ ସରକାର ରାଜ୍ୟର ଓକିଲ ଓ ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇ ଦେବେ । ହେଲେ ଘର ପାଇଥିବା କର୍ମଚାରୀମାନେ ଏହି ଘରକୁ ୧୦ ବର୍ଷ ମଧ୍ୟରେ ବିକ୍ରି କରିପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି ।

ଏନେଇ ଅଧିକାରୀ ସ୍ତରରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି । ଉପର ସ୍ତରରୁ ମଞ୍ଜୁରୀ ମିିଳିବା ପରେ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରାଯିବ । କହିରଖୁ କି ଏପର୍ଯ୍ୟନ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ରିଆତିରେ ଘର ଯୋଗାଇ ଦେବାର କୌଣସି ପ୍ରାବଧାନ ନାହିଁ ।

ଘର ଆବଣ୍ଟନ କରିବାର ପ୍ରକ୍ରିୟା କଣ ହେବ,ଓ କାହାକୁ ଘର ମିଳିବ ଏନେଇ ଏକ ଖସଡା ପ୍ରସ୍ତୁତ କରାଯାଇଥିବା କଥା ସୂତ୍ର ସୂଚନା ଦେଇଛି । ଏନେଇ ରାଜସ୍ୱ ବିଭାଗ ଜମି ଅଧିଗ୍ରହଣ କରିବ । ଆବାସ ଓ ସହରୀ ନିୟୋଜନ ବିଭାଗ ନୋଡାଲ ବିଭାଗକୁ ଜମି ଲିଜରେ ଦେବ । ଏହି ଯୋଜନାରେ ନିର୍ମିତ ହେଉଥିବା ଘରଗୁଡିକୁ ହିତାଧିକାରୀଙ୍କୁ ରିହାତିରେ ଯୋଗାଇ ଦିଆଯିବ ।