ରାହୁଲ ଗାନ୍ଧୀଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କଲେ ପିନାରାଇ ବିଜୟନ । ଏମାନଙ୍କ ଦଳ ଅଲଗା କିନ୍ତୁ ଚିନ୍ତାଧାରା ଗୋଟିଏ ।

Advertisment
ରାହୁଲ ଗାନ୍ଧୀଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କଲେ ପିନାରାଇ ବିଜୟନ । ଏମାନଙ୍କ ଦଳ ଅଲଗା କିନ୍ତୁ ଚିନ୍ତାଧାରା ଗୋଟିଏ ।

କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗୁରୁବାର ଦିନ କଂଗ୍ରେସ ନେତା ତଥା ୱାଇନାଡୁ ସାଂସଦ ରାହୁଲ ଗାନ୍ଧୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି ‘କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ କେରଳକୁ ନେଇ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ରଖୁଥିଲେ ବି ସେମାନଙ୍କର ଚିନ୍ତାଧାରା ଗୋଟିଏ ’ । ଏହାସହ ରାହୁଲ ଗାନ୍ଧୀ କେରଳ ଆସି କିଛି ଅନାବଶ୍ୟକ କାମରେ ହସ୍ତକ୍ଷେପ କରୁଛନ୍ତି । ଯେମିତି କି କୃଷକ ମାନଙ୍କ ସହିତ ଟ୍ରାକ୍ଟର ଚଳାଇବା, ସମୁଦ୍ରରେ ମାଛ ଧରାଳୀଙ୍କ ସହ ଗାଧୋଇବା । ରାହୁଲ ଏହା କରିବାକୁ ସମୟ ପାଉଛନ୍ତି ହେଲେ ଭାରତର ଅନ୍ୟ ଅଞ୍ଚଳରେ ହେଉଥିବା ବିରୋଧ ପ୍ରଦର୍ଶନକୁ ଅଣଦେଖା କରୁଛନ୍ତି ।

୧୯୯୦ ଦଶକରେ କୃଷକ ବିରୋଧୀ ନୀତି ପାଇଁ ବିଜୟନ କଂଗ୍ରେସକୁ ଦୋଷ ଦେଇ କହିଥିଲେ ଏଭଳି ନୀତି କୃଷକ ମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିଲା । ଯେଉଁଥି ପାଇଁ କୃଷକ ମାନଙ୍କୁ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ । ସେ କହିଛନ୍ତି କି କଂଗ୍ରେସ ସରକାର ସମୟରେ ଲକ୍ଷ ଲକ୍ଷ କୃଷକ ଆତ୍ମହତ୍ୟା କରିଛନ୍ତି ।

କେରଳ ବାମମୋର୍ଚ୍ଚା ସରକାର କହିଛନ୍ତି କି କେରଳର ଯୁବକମାନେ ଭାବୁଛନ୍ତି ତାଙ୍କୁ ଚାକିରୀ କାହିଁକି ମିଳୁନାହିଁ ? କେରଳ ଯୁବକ ମାନଙ୍କ ପାଇଁ ଏକ ଗତିଶୀଳ ରାଜ୍ୟ । ହେଲେ ଯୁବକ ମାନଙ୍କୁ କର୍ମସଂସ୍ଥାନ ନ ମିଳିବା ପାଇଁ କିଏ ଦାୟୀ ? । ଏନେଇ ଯଦି କେରଳର ଯୁବକ ମାନେ ଭାବୁଥାନ୍ତି ଯେ ଏଥିପାଇଁ ରାଜ୍ୟର ବାମମୋର୍ଚ୍ଚା ସରକାର ଦାୟୀ ତାହେଲେ ପତାକା ଧରି ରାସ୍ତାକୁ ଓହ୍ଲାନ୍ତୁ ।

ସେହି ସାମ୍ବାଦିକ ସମ୍ମିଳନୀରେ ବିଜୟନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଦେଶର ଯୁବକ ମାନେ କର୍ମସଂନ୍ଧାନରେ ବିଦେଶ ଯାଉଛନ୍ତି । କାରଣ ଦେଶରେ ସେମାନଙ୍କ ପାଇଁ କାମ ନାହିଁ । କେରଳରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କ ମଧ୍ୟରୁ ୧୫ ପ୍ରତିଶତ କେବଳ ଉତ୍ତରପ୍ରଦେଶରୁ ଆସିଛନ୍ତି । କେରଳ ସରକାର ସେମାନଙ୍କ ପାଇଁ ବୀମା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ହେଲେ ଆଦିତ୍ୟନାଥ କହୁଛନ୍ତି କି କେରଳ ସରକାର ଲୋକମାନଙ୍କ ଭିତରେ ଲଢେଇ ଲଗାଇବାକୁ ପ୍ରୟାସ କରୁଛନ୍ତି । ଏହା ଉପରେ ବିଜୟନ କହିଛନ୍ତି କି ‘ଏହି ୫ ବର୍ଷ ମଧ୍ୟରେ କେରଳରେ କୌଣସି ସାଂପ୍ରଦାୟିକ ଦଙ୍ଗା ହୋଇନାହିଁ, ହେଲେ ଉତ୍ତର ପ୍ରଦେଶର ସ୍ଥିତି କ’ଣ ’ ବୋଲି ସେ ଯୋଗୀଙ୍କୁ ପ୍ରଶ୍ନ କରିଛନ୍ତି । ଏହା ସହ ସେ କହିଛନ୍ତି କି ‘ଆମେ ଦେଖୁଛୁ ଉତ୍ତର ପ୍ରଦେଶରେ ମହିଳା ହିଂସା ଦେଶର ସବୁଠାରୁ ଅଧିକ’ ତାହା ଉପରେ ଯୋଗୀ ନଜର ରଖନ୍ତୁ ବୋଲି କେରଳ ମୁଖ୍ୟମନ୍ତ୍ରୀ କହିବା ସହ ଆହୁରି କହିଛନ୍ତି କି କେରଳରେ ଲୋକସଂଖ୍ୟା ୩.୫ କୋଟି , ସେମାନଙ୍କ ମଧ୍ୟରୁ ୧.୧୦ କୋଟି ଲୋକଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ହେଲେ କେରଳ ତୁଳନାରେ ଉତ୍ତରପ୍ରଦେଶରେ ଜନସଂଖ୍ୟା ୬ ଗୁଣା ଅଧିକ ହେଲେ ବି ସେଠାରେ କୋଭିଡ ଟେଷ୍ଟ ସଂଖ୍ୟା ମାତ୍ର ୩ କୋଟି । କେରଳ ଦେଶରେ ଏକ ମଡେଲ ରାଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଶ୍ରମିକ କଲ୍ୟାଣ କ୍ଷେତ୍ରରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେଣୁ କେରଳକୁ ନେଇ ଯେଉଁମାନେ ପ୍ରଶ୍ନ କରୁଛନ୍ତି ପ୍ରଥମେ ସେମାନେ ସରକାରୀ ଡାଟା ଦେଖି ନିଜ ରାଜ୍ୟର ତୁଳନା କେରଳ ସହ କରିବା ଉଚିତ୍ ବୋଲି ପିନାରାଇ ବିଜୟନ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe