କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଜିତିଲେ ଯୋଗୀ । ବିଜେପିର ଅଦ୍ଭୁତପୂର୍ବ ସଫଳତା ଭିତରେ ଯୋଗୀ ପୁଣିଥରେ ଜିତିବା ସହ ନୂଆ ଇତିହାସ ରଚିଛନ୍ତି । ଗୋରଖପୁର ସହରାଞ୍ଚଳ ଆସନରୁ ଯୋଗୀ ଆଦିତ୍ୟନାଥ ଲକ୍ଷେରୁ ଅଧିକ ଭୋଟରେ ଜିତିଛନ୍ତି । ଆଉ ଏତେ ବ୍ୟବଧାନରେ ଜିତିବା ହିଁ ଦର୍ଶାଉଛି ଯେ, ଯୋଗୀଙ୍କ କ୍ରେଜ ଏବେ ବି କମିନି । ବିଜେପି ପୁଣିଥରେ ସରକାରକୁ ଆସିବା ଏକପ୍ରକାର ନିଶ୍ଚିତ ହୋଇଛି । ଆଉ ଏହି ବିଜୟ ସହ ପୂର୍ବରୁ ଥିବା ଏକ ଲୋକକଥାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଛି ।

Advertisment

ଦୀର୍ଘ ବର୍ଷ ଧରି ୟୁପି ରାଜନୀତିରେ ଯେଉଁ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଥିଲା, ତାକୁ ଭୁଲ୍ ସାବ୍ୟସ୍ତ କରିଛନ୍ତି ଯୋଗୀ । ନିଜ ମୁଖ୍ୟମନ୍ତ୍ରୀ କାଳରେ ସେ ଏକାଧିକ ଥର ନୋଏଡା ଗସ୍ତରେ ଯାଇଥିଲେ ବି, ଏବେ ସେ ନିଜେ ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ପାଖାପାଖି ୩ ଦଶନ୍ଧି ଧରି ୟୁପି ରାଜନୀତିରେ ଗୋଟିଏ କଥା ପ୍ରଚଳିତ ଥିଲା । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯଦି ନୋଏଡା ଗସ୍ତରେ ଯାଆନ୍ତି, ତେବେ ସେ ଶାସନ ଗାଦିରୁ ବାହାରିବା ନିଶ୍ଚିତ ଥିଲା । ପୁଣିଥରେ କ୍ଷମତାକୁ ଫେରିବାର ନଜିର ମଧ୍ୟ ନଥିଲା । ଆଉ ଏହି ଅନ୍ଧବିଶ୍ୱାସକୁ ସତ ବୋଲି ମାନିନେଇଥିଲେ ଉତ୍ତରପ୍ରଦେଶବାସୀ । ଏପରିକି ମାୟାବତୀଙ୍କଠାରୁ ଆରମ୍ଭ କରି ଅଖିଳେଶ ଯାଦବ ମଧ୍ୟ ଏହି କଥାକୁ ସତ ବୋଲି ମାନି ନେଇଥିଲେ ।

ମାର୍ଚ୍ଚ,୨୦୦୭ରେ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମାୟବତୀ, ଏହାପରେ ସେହିବର୍ଷ ନଭେମ୍ବର ମାସରେ ସେ ତାଙ୍କର ଏକ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନୋଏଡା ଗସ୍ତ କରିଥିଲେ । ଆଉ ଦୁର୍ଭାଗ୍ୟକୁ ୨୦୧୨ ନିର୍ବାଚନରେ ମାୟାବତୀଙ୍କୁ ଶାସନ ଗାଦିରୁ ହଟିବାକୁ ପଡିଥିଲା ।

ସେହିପରି ଅଖିଳେଶ ଯାଦବ ମଧ୍ୟ ଏହି କଥାକୁ ବିଶ୍ୱାସ କରୁଥିଲେ । ୨୦୧୨ରେ ଅଖିଳେଶ ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ୨୦୧୩ରେ ନୋଏଡାରେ ଆୟୋଜିତ ହୋଇଥିଲା ଏସିଆ ବିକାଶ ବ୍ୟାଙ୍କ ଶିଖର ସମ୍ମିଳନୀ । ଏହି ଉତ୍ସବରେ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଯୋଗ ଦେଇଥିଲେ । ହେଲେ ନୋଏଡା ଗଲେ, କାଳେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବ, ସେହି ଭୟରେ ଅଖିଳେଶ ଏହି ଉତ୍ସବରେ ସାମିଲ ହୋଇନଥିଲେ ।

ହେଲେ ଏସବୁ କଥାକୁ ଏବେ ଯୋଗୀ ଆଦିତ୍ୟନାଥ ଭୁଲ୍ ପ୍ରମାଣିତ କରିଛନ୍ତି । ୨୦୧୭ରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପରଠାରୁ, ଯୋଗୀ ପାଖାପାଖି ୧୨ରୁ ଅଧିକ ଥର ନୋଏଡା ଗସ୍ତରେ ଯାଇଥିଲେ ବି ଏହାର କୌଣସି ପ୍ରଭାବ ନିର୍ବାଚନରେ ଦେଖିବାକୁ ମିଳିନି । କିଛି ଦିନ ତଳେ ଯୋଗୀ ନୋଏଡା ଗସ୍ତ କରି ସେଠାରେ ମେଟ୍ରୋ ଷ୍ଟେସନର ଶୁଭାରମ୍ଭ କରିଥିଲେ । ହେଲେ ନୋଏଡା ଗସ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଯାଇଥିଲେ ବି ସେ ଗୋରଖପୁର ସହର ସିଟରୁ ବିଜୟୀ ହେବା ସହିତ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ଏବେ ସମାଜବାଦୀ ପାର୍ଟିଠାରୁ ବେଶ ଆଗରେ ଚାଲୁଛି । ଯାହା ଫଳରେ ୟୁପି ରାଜନୀତିରେ ଥିବା ଏହି ବିଶ୍ୱାସଟି ଏବେ ଭୁଲ୍ ପ୍ରମାଣିତ ହୋଇଛି ।