ପ୍ରବାସୀ ଶ୍ରମିକଙ୍କ ଆସିବାକୁ ନେଇ ଯୋଗୀଙ୍କୁ ଟାର୍ଗଟ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ଦେଇଥିଲା ହଜାରେ ବସ , ହେଲେ ଯୋଗୀ ସରକାର ଯିବାକୁ ଦେଲେନି ଅନୁମତି । ଡିଜିଟାଲ ପ୍ରେସମିଟରେ ପ୍ରିୟଙ୍କା କହିଲେ, ଏବେ ରାଜନୀତି କରିବାର ସମୟ ନୁହେଁ ।

390

କନକ ବ୍ୟୁରୋ: ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଉତରପ୍ରଦେଶ ଫେରାଇ ଆଣିବା ପାଇଁ କଂଗ୍ରେସର ଉଦ୍ୟମକୁ ପଣ୍ଡ କରୁଛି ଉତରପ୍ରଦେଶ ସରକାର । ବୁଧବାର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କହିଛନ୍ତି , ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ କଂଗ୍ରେସ ହଜାରେ ବସର ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଯିବାପାଇଁ ଅନୁମତି ଦେଉନାହାନ୍ତି ଉତର ପ୍ରଦେଶ ସରକାର । ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧି ।

ଡିଜିଟାଲ ସାମ୍ବାଦିକ ସମ୍ମିଳନୀ କରି ପ୍ରିୟଙ୍କା କହିଛନ୍ତି, ଥରେ ଏହି ବସଗୁଡିକୁ ଉତର ପ୍ରଦେଶରେ ପ୍ରବେଶ କରିବାର ଅନୁମତି ମିଳୁ । ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହା ରାଜନୀତି କରିବାର ସମୟ ନୁହେଁ । ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସମସ୍ତ ରାଜନୈତିକ ଦଳ ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିବା ଦରକାର ।

ଏକ ହଜାର ବସରେ ପ୍ରବାସୀ ଶ୍ରମିକମାନଙ୍କୁ ଉତର ପ୍ରଦେଶ ପଠାଇବାପାଇଁ କଂଗ୍ରେର ଯୋଜନାକୁ ନେଇ ପ୍ରିୟଙ୍କା ଓ ଉତର ପ୍ରଦେଶ ମ୍ରୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଗତ ଶନିବାର କଂଗ୍ରେସ ଦେଇଥିବା ଏହି ପ୍ରସ୍ତାବକୁ ସୋମବାର ଗ୍ରହଣ କରାଗଲା । କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ସରକାର କହିଥିଲେ ୧୦୦୦ଟି ଗାଡି ମଧ୍ୟରୁ ୮୭୯ଟି ବସ ଏବଂ ଅନ୍ୟସବୁ ତିନିଚକିଆ ଗାଡି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଥିଲା କଂଗ୍ରେସ । ଯୋଗୀ ଆଦିତ୍ୟନାଥ ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଥିଲା କଂଗ୍ରେସ ।