‘ଗାନ୍ଧିଜୀ କହିଥିଲେ, ସ୍ୱାଧୀନତା ପରେ କଂଗ୍ରେସକୁ ବିସର୍ଜନ କରିଦେବା କଥା, ଗାନ୍ଧିଜୀଙ୍କ ଏହି ସଂକଳ୍ପ ଏବେ ପୂରା ହେଉଛି । କଂଗ୍ରେସକୁ ଟାର୍ଗେଟ କଲେ ଆଦିତ୍ୟନାଥ ।

177

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୋରବୀରେ ପ୍ରଚାର ସମୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଆଦିତ୍ୟନାଥ । ମୋରବୀ ହେଉଛି ସେହି ସ୍ଥାନ ଯେଉଁଠି ଝୁଲାପୋଲ ଛିଡିବା କାରଣରୁ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପୂରା ଦେଶବାସୀ ଏବେ ମୋରବୀ ସହ ଛିଡା ହୋଇଛନ୍ତି ।

ଜନସଭାକୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, କଂଗ୍ରେସ ଶାସନରେ କଣ କାଶୀ ବିଶ୍ୱନାଥ ଧାମ ହୋଇପାରିଥାନ୍ତା ? ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିପାରିଥାନ୍ତା? ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇପାରିଥାନ୍ତା? ଏହା କଣ କଂଗ୍ରେସ ସରକାର ଥିଲେ ସମ୍ଭବ ହୋଇପାରିଥାନ୍ତା କି? କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ୟମ ବଳରେ ଏହା ସମ୍ଭବ ହୋଇପାରିଛି । ଦେଶ ସୁରକ୍ଷିତ ହୋଇ ପାରିଛି ।

ଏହାସହ କଂଗ୍ରେସକୁ ଟାର୍ଗେଟ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, କଂଗ୍ରେସର ଭାରତ ଯୋଡ ଯାତ୍ରା ସମୟରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି । କଂଗ୍ରେସର ମଞ୍ଚରେ ଜାତୀୟ ସଙ୍ଗୀତ ଗାନ ହେଉଥିବା ବେଳେ ଏକ ଫିଲ୍ମ ଗୀତ ବାଜିଥିଲା । ଏହା ହିଁ ଏମାନଙ୍କର ରାଷ୍ଟ୍ରଭକ୍ତି । କଂଗ୍ରେସ ରାଷ୍ଟ୍ରଗାନକୁ ବି ସମ୍ମାନ ଦିଏ ନାହିଁ ଆଉ ହିନ୍ଦୁ ଆସ୍ଥାକୁ କଣ ବା ସମ୍ମାନ ଦେବ? ଅଯୋଧ୍ୟାରେ ରାମ ମନ୍ଦିର, କାଶୀରେ ବିଶ୍ୱନାଥ ମନ୍ଦିର, ଜମ୍ମୁ-କାଶ୍ମୀରରେ ୩୭୦ ଧାରା ହଟିଛି । ବିଜେପି ଯାହା ସଂକଳ୍ପ କରିଛି ତାହା କରିକି ଦେଖାଇଛି । ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ସହ ସରଗରମ ହୋଇଛି ଗୁଜରାଟ ରାଜନୀତି । ଆସନ୍ତା ଡିସେମ୍ବର ୧ ଓ ଡିସେମ୍ବର ୫ରେ ଗୁଜରାଟ ନିର୍ବାଚନ ପାଇଁ ପଡିବ ଭୋଟ । ୮ ଡିସେମ୍ବରରେ ଫଳାଫଳ ପ୍ରକାଶ ପାଇବ ।