୧୯୯୦ରେ ଜୟ ଶ୍ରୀରାମ କହିବା ଯେପରି ଅପରାଧ ଥିଲା,  ରାମଭକ୍ତଙ୍କ ଉପରେ ଗୁଳି ଚାଲୁଥିଲା : ଯୋଗୀ ଆଦିତ୍ୟନାଥ

134

କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ବଡ ବୟାନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି, ୧୯୯୦ରେ ଜୟ ଶ୍ରୀରାମ କହିବା ଅପରାଧ ଥିଲା, ଏହି ସମୟରେ ରାମଭକ୍ତଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଉଥିଲା କିନ୍ତୁ ଆଜି ସେହି ନିର୍ଦ୍ଦେଶ ଦେଇଥିବା ଲୋକଙ୍କ ଅବସ୍ଥା କଣ ପୂରା ଦେଶବାସୀ ଦେଖୁଛନ୍ତି । ବୁଧବାର ଦୀପତ୍ସୋବରେ ସାମିଲ ହୋଇ ଏପରି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଯଦି ଏହିଭଳି ଜାରି ରୁହେ ତେବେ ଆସନ୍ତା କରସେବାରେ ରାମ ଓ କୃଷ୍ଣ ଭକ୍ତଙ୍କ ଉପରେ ପୁଷ୍ପ ବର୍ଷା ହେବ ।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ୨୦୧୭ରେ ଅଯୋଧ୍ୟାରେ ପ୍ରଥମଥର ଦୀପ ଉତ୍ସବ ହୋଇଥିଲା । ସେହି ସମୟରେ ଗୋଟିଏ ନାରା ଗୁଞ୍ଜରଣ ହେଉଥିଲା । ଯୋଗୀ ଜୀ ଗୋଟିଏ କାମ କର, ଶୀଘ୍ର ମନ୍ଦିର ଛିଡା କର । ସେତେବେଳେ ମଧ୍ୟ ଲୋକଙ୍କୁ ମୁଁ କହିଥିଲି ଯେ, ମନ୍ଦିର ନିର୍ମାଣ ପାଇଁ ଆଧାରଶିଳା ରଖାଯାଇଛି, ମନ୍ଦିର ନିର୍ମାଣ ନିଶ୍ଚୟ ହେବ । ଆଉ ଏବେ ଲୋକେ ଖୁସି ହେଉଛନ୍ତି ଯେ, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।

ଯୋଗୀ କହିଛନ୍ତି, ୫ ବର୍ଷ ପୂର୍ବରୁ ଯେତେବେଳେ ଦୀପ  ଉତ୍ସବ ଆରମ୍ଭ ହୋଇଥିଲା ସେତେବେଳେ ଅଯୋଧ୍ୟାରେ ଦୀପାବଳିରେ ସେଭଳି ବଡ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନଥିଲା । କିନ୍ତୁ ଆଜି ଏହି ଉତ୍ସବକୁ ଦେଖିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୩ ଦେଶର ଉଚ୍ଚାୟୁକ୍ତ ଓ ହଜାର ହଜାର ଲୋକ ଏକାଠି ହେଉଛନ୍ତି । ଏବେ ଏହା ଦେଶର ବଡ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ହେଲାଣି । ୨୦୨୩ ମଧ୍ୟରେ କୌଣସି ବି ଶକ୍ତି ଅଯୋଧ୍ୟାରେ ମନ୍ଦିର ନିର୍ମାଣକୁ ରୋକିପାରିବେ ନାହିଁ । ଦେଶବାସୀଙ୍କ ଟଙ୍କା ପୂର୍ବରୁ କବରସ୍ଥାନ ପାଇଁ ଖର୍ଚ୍ଚ ହେଉଥିଲା କିନ୍ତୁ ଏବେ ଏହା ମନ୍ଦିର ପାଇଁ ଖର୍ଚ୍ଚ ହେଉଛି ।