ଯୋଗୀ ଆଦିତ୍ୟନାଥଙ୍କ ଚେତାବନୀ । ଭାରତ ଆଡକୁ ତାଲିବାନ ବଢିଲେ ହେବ ଏୟାରଷ୍ଟ୍ରାଇକ, ପାକିସ୍ତାନର ଗୁଣଗାନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । 

223

କନକ ବ୍ୟୁରୋ :  ତାଲିବାନକୁ ଚେତାବନୀ ଦେଲେ ଯୋଗୀ ଆଦିତ୍ୟନାଥ । ବିଜେପିର ଫାୟାର ବ୍ରିଗେଡ ନେତା ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିବାନକୁ ନେଇ ବଡ ବୟାନ ଦେଇଛନ୍ତି । ଏବେ ପାକିସ୍ତାନ ଓ ଆଫଗାନିସ୍ତାନ ତାଲିବାନକୁ ନେଇ ଚିନ୍ତାରେ କିନ୍ତୁ ତାଲିବାନ ଭଲ ଭାବେ ଜାଣିଛି ଯଦି ଭାରତ ଆଡକୁ ପାଦ ବଢାଏ ତେବେ ଏୟାରଷ୍ଟ୍ରାଇକ ହେବ ।  ଏହାସହ ବିରୋଧୀ ଦଳ ଉପରେ ମଧ୍ୟ ବର୍ଷିଛନ୍ତି ଆଦିତ୍ୟନାଥ ।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ବେଶ ଶକ୍ତିଶାଳୀ ହୋଇ ଉଠିଛି । ଏବେ କୌଣସି ବି ଦେଶ ଭାରତ ଆଡକୁ ଆଖି ଉଠାଇବାକୁ ସାହସ କରୁନାହାନ୍ତି । କିନ୍ତୁ ଅନ୍ୟପଟେ ତାଲିବାନ କାରଣରୁ ପାକିସ୍ତାନ ଓ ଆଫଗାନିସ୍ତାନ ଲୋକେ ବେଶ ଚିନ୍ତିତ ଅଛନ୍ତି । କିନ୍ତୁ ତାଲିବାନ ଭଲ ଭାବେ ଜାଣିଛି ଯଦି ଭାରତ ଆଡକୁ ପାଦ ବଢାନ୍ତି ତେବେ  ନିଶ୍ଚୟ ଏୟାରଷ୍ଟ୍ରାଇକ ହେବ ।

ଏହାସହ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ଯୋଗୀ କହିଛନ୍ତି, ୨୦୧୪ ପୂର୍ବରୁ ଭାରତ କଣ ଥିଲା  ଓ ୨୦୧୪ ପରେ ଆଜି ଭାରତ କେଉଁଠି ଅଛି ତାହା ବେଶ ସ୍ପଷ୍ଟ । ୨୦୧୪ ପୂର୍ବରୁ ଦେଶରେ ଅବିଶ୍ୱାସ, ଅରାଜକତା, ଅବ୍ୟବସ୍ଥାର ବାତାବରଣ ଥିଲା । ୨୦୧୪ ପୂର୍ବରୁ ଦେଶରେ ପ୍ରତ୍ୟେକ ଦିନ ନୂଆ ନୂଆ ଘୋଟାଲା ସାମ୍ନାକୁ ଆସୁଥିଲା । କିନ୍ତୁ ୨୦୧୪ରେ ବିଜେପି ସରକାର ଆସିବା ପରେ ଦେଶର ବାତାବରଣରେ ସୁଧାର ଆସିଛି । ୨୦୧୪ ପୂର୍ବରୁ ଓ ୨୦୧୪ ପରେ କଣ ଫରକ ହୋଇଛି ତାହା ଅନୁଭବ କରିସାରିଛନ୍ତି ଦେଶବାସୀ । ଯୋଗୀ ଆଦିତ୍ୟନାଥ କହିଛନ୍ତି, ଯେଉଁ ଲୋକ ରାମଭକ୍ତଙ୍କ ଉପରେ ଗୁଳି ଚଳାଇଥିଲେ ସେମାନେ ଆଜି ଭୁଲ ମାଗିବେ କି? ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉଛି । ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କୁ ବିରୋଧ କରୁଥିଲେ ସେମାନଙ୍କୁ ଲୋକ ଜିରୋ କରି ଦେଇଛନ୍ତି । ପୂର୍ବରୁ କ୍ଷମତାରେ ଆସିଥିବା ସରକାରଙ୍କର ରାଜ୍ୟର ବିକାଶରେ କୌଣସି ଭୂମିକା ନଥିଲା ।

ଅଯୋଧ୍ୟାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାଧୁସନ୍ଥଙ୍କୁ ସମ୍ବୋଧିତ କରିବା ସହ କହିଛନ୍ତି, ଯେଉଁମାନେ ପାକିସ୍ତାନର ଗୁଣଗାନ କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମ୍ୟାଚରେ ହାରଜିତ ଲାଗି ରହିଥାଏ । କିନ୍ତୁ ଶତ୍ରୁ ଦେଶର ସମର୍ଥନରେ ବାହାରିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଭାରତରେ ଯିଏ ବି ରହିବ ସେମାନଙ୍କୁ ଦେଶଭକ୍ତି ଦେଖାଇବାକୁ ପଡିବ ।