ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ । ୨ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ଯୋଗୀ ଆଦିତ୍ୟନାଥ, ଯୋଗୀଙ୍କ ଦିଲ୍ଲୀ ଗସ୍ତ ଓ ମୋଦୀଙ୍କୁ ଭେଟିବାର କାରଣ ନେଇ ଚର୍ଚ୍ଚା ଜୋରଦାର ।

138

କନକ ବ୍ୟୁରୋ : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ପ୍ରାୟ ଦେଢ ଘଂଟା ଧରି ରହିଥିଲା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା । ଆଦିତ୍ୟନାଥ ଗୁରୁବାର ଶାହାଙ୍କୁ ମଧ୍ୟ ଭେଟିଥିଲେ । ଶୁକ୍ରବାର ମୋଦୀଙ୍କୁ ଭେଟିଛନ୍ତି । ଏହାରି ଭିତରେ ଚର୍ଚ୍ଚା ଉଠୁଛି, ଦେଢ ଘଂଟା ଧରି କେଉଁ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଥିଲେ ଯୋଗୀ ।

ଗୋଟିଏ ଟୁଇଟ୍ ଆସିଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ । ଲେଖାଥିଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ । ସାରା ଦେଶର ରାଜନୈତିକ ଚାଣକ୍ୟଙ୍କ ମୁଣ୍ଡରେ ଯେତେବେଳେ ଗୋଟିଏ କଥା ଘୁରି ବୁଲୁଥିଲା, ପ୍ରଧାନମନ୍ତ୍ରୀଙ୍କୁ ଭେଟି କଣ ଚର୍ଚ୍ଚା କରିଥିବେ ଯୋଗୀ ଆଦିତ୍ୟନାଥ, ବାସ୍ ଗୋଟିଏ ଫଟୋ ସହ ଟୁଇଟ୍ କରି ସଂକ୍ଷେପରେ ସବୁ ସୂଚନା ଦେଇଦେଲା ପିଏମଓ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁକ୍ରବାର ତାଙ୍କର ବାସଭବନରେ ସାକ୍ଷାତ କରିଥିଲେ ଯୋଗୀ ଆଦିତ୍ୟନାଥ । ମୋଦୀଙ୍କ ସହ ପ୍ରାୟ ଦେଢ ଘଂଟା ଧରି ଆଲୋଚନା କରିଥିଲେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ସାକ୍ଷାତ ନେଇ ଯୋଗୀ ଆଦିତ୍ୟନାଥ ମଧ୍ୟ ଟୁଇଟ୍ କରିଛନ୍ତି । ଆଉ ଉଲ୍ଲେଖ କରିଛନ୍ତି, ଆଜି ମୁଁ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲି ଓ ତାଙ୍କର ମାର୍ଗଦର୍ଶନ ପାଇଲି । ନିଜର ବ୍ୟସ୍ତ ବହୁଳ ସମୟ ଭିତରେ ମୋତେ ସମୟ ଦେଇଥିବାରୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି । ସେପଟେ ବିଜେପି ନେତାଏଁ ଏହାକୁ ସାଧାରଣ ସାକ୍ଷାତ ବୋଲି କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି
ପ୍ରଧାନମନ୍ତ୍ରୀଙ୍କ ଠାରୁ କେଉଁ ମାର୍ଗଦର୍ଶନ ପାଇଲେ ଯୋଗୀ ?
କେଉଁ ପ୍ରସଙ୍ଗରେ ୧.୩୦ ମିନିଟ୍ ଧରି ଚାଲିଥିଲା ବୈଠକ ?
କଣ ବଦଳିଯିବ କି ଉତରପ୍ରଦେଶ ରାଜନୀତିର ଗଣିତ ?
କରୋନା କାଳରେ ଯୋଗୀଙ୍କୁ ମୋଦୀ ଦେଲେ କି ବାର୍ତା ?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଯୋଗୀ ଆଦିତ୍ୟନାଥଙ୍କ ଏହି ବୈଠକର ସପ୍ତାହେ ଆଗରୁ ବିଜେପିର ବରିଷ୍ଠ ନେତା ବିକେ ସନ୍ତୋଷଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଗସ୍ତ କରିଥିଲା ଉତରପ୍ରଦେଶ । ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଫିଡବ୍ୟାକ୍ ସଂଗ୍ରହ କରିଥିଲା । କୁହାଯାଉଛି ଏହି ବୈଠକର ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗୀଙ୍କର ହୋଇଥିଲା ଆଲୋଚନା । ସୂଚନା ଅନୁସାରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଦେଇଥିବା ରିପୋର୍ଟ କାର୍ଡରେ ଯୋଗୀଙ୍କ ପାଇଁ କିଛି ଭଲ କଥା ନାହିଁ ।

କେନ୍ଦ୍ର ବିଜେପି ଟିମର ରିପୋର୍ଟ କାର୍ଡ
– ବିଧାୟକ ଓ ସାଂସଦଙ୍କ ସହ ଯୋଗୀଙ୍କ ସଂପର୍କ ଆଗ ପରି ନାହିଁ
– ୟୁପିରେ କରୋନା ମୁକାବିଲାରେ ପଦାରେ ପଡିଛି ଯୋଗୀଙ୍କ ବିଫଳତା
– ଯୋଗୀଙ୍କ ବିରୋଧରେ ମୁହଁ ଖୋଲିଲେଣି ଦଳୀୟ ନେତା

ଉତ୍ତରପ୍ରଦେଶରେ ଗତ ପଂଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିଲା ବିଜେପି । ଆଗକୁ ୨୦୨୨ ବର୍ଷରେ ଉତରପ୍ରଦେଶ ଦେଖିବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ଆଗରୁ ଦଳର ଛବି ସୁଧାରିବାକୁ ଦଳ ଏବେ ଜିତେନ ପ୍ରସାଦଙ୍କ ପରି କଂଗ୍ରେସର ତୁଙ୍ଗ ଚେହେରାଙ୍କୁ ଦଳରେ ସାମିଲ କରାଇଛି । ଜିତେନ ପ୍ରସାଦ ଉତରପ୍ରଦେଶରେ ବ୍ରାହ୍ମଣ ଭୋଟର ବଡ ଚେହେରା । ଯୋଗୀ ସରକାରରେ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇ ଉଭୟ ଜିତେନ ଓ ବ୍ରାହ୍ମଣ ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ କରିବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଏହାକୁ ନେଇ ବୋଧ ହୁଏ ଯୋଗୀଙ୍କ ସହ ବଡ ଚର୍ଚ୍ଚା ହୋଇଥାଇପାରେ । ତେବେ ଜିତେନ ପ୍ରସାଦଙ୍କ ଏହି ଯୋଗଦାନକୁ ନେଇ ବିରୋଧୀ ୟୁପି ବିଜେପି ଉପରେ ବର୍ଷିଛନ୍ତି ।

ପ୍୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଥିଲେ ଯୋଗୀ ଆଦିତ୍ୟନାଥ । ଆଉ ଗତ ସପ୍ତାହର ବିଜେପି ଟିମର ମିଳିଥିବା ରିପୋର୍ଟ କାର୍ଡକୁ ନେଇ ଏଥିରେ ବି ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି । ୟୁପିରେ ସମାଜବାଦୀ ପାର୍ଟିକୁ କ୍ଷମତାରୁ ବାହାର କରି ବଡ ବିଜୟ ସହିତ କ୍ଷମତାକୁ ଆସିଥିଲା ବିଜେପି । ସେତେବେଳେ ଏହାର ବଡ ଭୂମିକା ନେଇଥିବା ବିଜେପି ନେତାଏଁ ଏବେ ଜଣା ପଡୁଛି ଖୁସି ନାହାନ୍ତି । ସେଥିପାଇଁ ସମସ୍ୟା ବଢିବା ଆଗରୁ ଏହାକୁ ସମାଧାନ କରି ଗଡ ସଜାଡିବାକୁ ଅଂଟା ଭିଡିଛି କେନ୍ଦ୍ର ବିଜେପି ।