ଦଳୀୟ ରଙ୍ଗ ପ୍ରଚାରରେ ରାଜନୈତିକ ଦଳ ! ଉତ୍ତରପ୍ରଦେଶକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବେ ଯୋଗୀ ସରକାର, ୫୦ଟି କମଳା ରଙ୍ଗର ବସ ଉଦଘାଟନ

67

କନକ ବ୍ୟୁରୋ : ଏବେ ଭାରତର ରାଜନୈତିକ ଦଳ ମଧ୍ୟରେ ନିଜ ଦଳୀୟ ରଙ୍ଗର ପ୍ରଚାର କରିବା ଏକ ଟ୍ରେଣ୍ଡ ପାଲଟିଗଲାଣି । ନିଜ ଦଳୀୟ ରଙ୍ଗ ଓ ଚିହ୍ନର ପ୍ରଚାର କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । କିନ୍ତୁ ଏବେ ସେହି ଦଳୀୟ ରଙ୍ଗ ଓ ଚିହ୍ନକୁ ବିଭିନ୍ନ ସରକାରୀ ଯୋଜନାରେ ବ୍ୟବହାର କରିବା ମଧ୍ୟ ଆରମ୍ଭ ହୋଇଗଲାଣି । ଉତ୍ତରପ୍ରଦେଶକୁ ଏବେ ସମ୍ପୂର୍ଣ୍ଣ ଗେରୁଆ କରିବା ପାଇଁ ଯୋଗୀ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।

ବିଏସପିର ନୀଳ ଏବଂ ସମାଜବାଦି ପାର୍ଟିର ଲାଲ ଓ ସବୁଜ ରଙ୍ଗ ପରେ ଏବେ ଉତ୍ତରପ୍ରଦେଶ ସହର ଅନ୍ୟ ଏକ ରଙ୍ଗ କମଳା ରଙ୍ଗରେ ରଙ୍ଗାୟିତ ହେଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ବୁଧବାର ଦିନ ଲକ୍ଷ୍ନୌରେ ରାଜ୍ୟ ସଡ଼କ ପରିବହନ ନିଗମର ୫୦ଟି କମଳା ରଙ୍ଗର ବସ୍ ଉଦଘାଟନ କରିଛନ୍ତି। ଯୋଗୀଙ୍କ ଅଫିସ ଚେୟାର ଏବଂ କାର୍ ସିଟରେ ପ୍ରଥରେ କମଳା ରଙ୍ଗର ଟାଓ୍ଵଲ ପଡ଼ିବା ଆରମ୍ଭ ହେବା ପରେ ସରକାରୀ ପୁସ୍ତିକା, ସ୍କୁଲ୍ ବ୍ୟାଗ୍ ଏବଂ ବସ୍ ଗୁଡ଼ିକୁ ମଧ୍ୟ କମଳା ରଙ୍ଗରେ ରଙ୍ଗାୟିତ କରାଯାଇଛି।

busesଯୋଗୀ ଶୁଭାରମ୍ଭ କରିଥିବା ୫୦ଟି କମଳା ରଙ୍ଗର ବସ୍ ଗ୍ରାମାଞ୍ଚଳ ଗୁଡ଼ିକରେ ସେବା ଯୋଗାଇ ଦେବାର ଲକ୍ଷ୍ୟ ରହିଥିବାବେଳେ ଏହାର ନାଁ ରହିଛି ‘ସଙ୍କଳ୍ପ ସେବା’। ଏହା ପୂର୍ବରୁ ଯୋଗୀ ସରକାର ରାଜ୍ୟର ବିଜୁଳି ଖୁଣ୍ଟକୁ ମଧ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ କରି ଚର୍ଚ୍ଚାକୁ ଆସିଥିଲେ । ଏହାଛଡା ଗତ ଅଗଷ୍ଟ ୨୯ ତାରିଖରେ ଆଦିତ୍ୟନାଥ ରାଜ୍ୟର ଖେଳାଳିମାନଙ୍କୁ ‘ଲକ୍ଷ୍ମଣ ଏବଂ ରାଣୀ ଲକ୍ଷ୍ମୀ ବାଇ ପୁରସ୍କାର ଦେଇଥିବାବେଳେ ସାର୍ଟିଫିକେଟର ପୃଷ୍ଠଭୂମି କମଳା ରଙ୍ଗ ଥିଲା ଏବଂ ପୁରସ୍କାର ବିଜେତାଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା ପୁସ୍ତିକାଟି ମଧ୍ୟ କମଳା ରଙ୍ଗ ରଖାଯାଇଥିଲା। ସୂଚନା ବିଭାଗର କଭର ମଧ୍ୟ କମଳା ରଙ୍ଗ ରହିଛି।

ପୂର୍ବରୁ ଏହି ଡାଏରି ସମାଜବାଦୀ ସରକାର ସମୟରେ ଲାଲ୍ ରଙ୍ଗ ଥିଲା ଏବଂ ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୀଳ ରଙ୍ଗ ଥିଲା। ସଚିବାଳୟ ପ୍ରଶାସନ ବିଭାଗର ଆଇଡେଣ୍ଟି କାର୍ଡ ମଧ୍ୟ ନୀଳ ବଦଳରେ କମଳା ରଖାଯାଇଛି। ରଙ୍ଗ ପରିବର୍ତ୍ତନ ବିଷୟରେ ପ୍ରଶ୍ନ କରିବାରୁ କ୍ୟାବିନେଟ ମନ୍ତ୍ରୀ ଏବଂ ସରକାରୀ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା କହିଛନ୍ତି ଆମେ ସବୁ ରଙ୍ଗକୁ ପସନ୍ଦ କରୁ କିନ୍ତୁ କମଳା ଆମର ଫେଭରିଟ୍। କାରଣ ଏହା ତ୍ୟାଗ ଏବଂ ସାହସର ପରିଚୟ ଅଟେ। ଜାତୀୟ ପତାକାରେ ମଧ୍ୟ କମଳା ରଙ୍ଗ ଅଛି ତେଣୁ କେହି ବି ଏହାର ବିରୋଧ କରିବା ଉଚିତ୍ ନୁହେଁ।