ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା, ମଥୁରାରେ ବନ୍ଦ ହେବ ମଦ ଓ ମାଂସ ବିକ୍ରି ।

169

କନକ ବ୍ୟୁରୋ : ମଥୁରାରେ  ମାଂସ ଓ ମଦ ବିକ୍ରି ହେବ ବନ୍ଦ । ଏନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ଏଭଳି ଏକ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ । ତେବେ ଏହି ଘୋଷଣା ପରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ମଧ୍ୟ ବିଭିନ୍ନ ଯୋଜନାରେ ଥଇଥାନ କରାଯିବ । ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଦିତ୍ୟନାଥ ।

ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ ଧାର୍ମିକ ମହତ୍ତ୍ୱ ରଖୁଥିବା ସହରରେ ମାଂସ ଓ ମଦ ବିକ୍ରି ଉପରେ ପ୍ରତିବନ୍ଧ ଲଗାଯିବ ଉଚିତ ବୋଲି କହିଥିଲେ । ଆଉ ଏହି କ୍ରମରେ ମଥୁରାର ପୂର୍ବ ଗାରିମାକୁ ଫେରାଇ ଆଣିବାକୁ ଏଭଳି ଘୋଷଣା କରିଛନ୍ତି ଯୋଗୀ । ମାଂସ ଓ ମଦ ବିକୁଥିବା ଲୋକ ଦୁଗ୍ଧ ବିକ୍ରି କରିବା ଆବଶ୍ୟକ, କାରଣ ମଥୁରାରେ ବହୁ ପରିମାଣରେ ଦୁଗ୍ଧ ଉତ୍ପାଦନ ହେଉଛି । ତେଣୁ ଏହି ବ୍ୟବସାୟକୁ ଆପଣାଇପାରିବେ ଲୋକେ ।

ଯୋଗୀ ଆଦିତ୍ୟନାଥଙ୍କ ଏଭଳି ଘୋଷଣା ପରେ କ୍ୟାବିନେଟ ମନ୍ତ୍ରୀ ମୋହସିନ ରଜା କହିଛନ୍ତି, ମଥୁରା ହେଉ ବା ଅନ୍ୟ କେଉଁ ଧାର୍ମିକ ସହର ଏଭଳି ମଦ ଓ ମାଂସ ବିକ୍ରି ହେବା ଉଚିତ୍ ନୁହେଁ । ଯେଉଁମାନେ ଭଗବାନ ପ୍ରେମୀ ଓ ଆସ୍ଥାରେ ବିଶ୍ୱାସ ରଖୁଛନ୍ତି ସେମାନଙ୍କ ପାଇଁ ଏହାର ଆବଶ୍ୟକତା ବା କଣ? ତେଣୁ ଯୋଗୀ ଆଦିତ୍ୟନାଥ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ ।