କନକ ବ୍ୟୁରୋ: ସମାଜବାଦି ପାର୍ଟି ନେତାଙ୍କ ଘର ଉପରେ ମାଡି ଚାଲିଲା ବୁଲଡୋଜର । ଆଖି ଆଗରେ ଭାଙ୍ଗିଚାଲିଲା ଘର, ଅଫିସ ଓ ଦୋକାନ । କୋଟି କୋଟି ଟଙ୍କାର ସମ୍ପତ୍ତି ମାଟିରେ ମିଶିଲା । ଅପରାଧୀଙ୍କୁ ସାବାଡ କରିବାକୁ ଯାଇ ଯୋଗୀ ସରକାରଙ୍କ ପଦକ୍ଷେପ । ସପା ନେତା ମୋଇଦ ଖାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତରପ୍ରଦେଶ ସରକାର । ନେତାଙ୍କ ନାଁରେ ରହିଛି ସଂଗୀନ ଅଭିଯୋଗ ।ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ସହ ପରିବାରକୁ ହତ୍ୟା ପାଇଁ ଦେଉଥିଲେ ଧମକ । ଏହି କଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାନରେ ପଡିବାପରେ ଏବେ ସପା ନେତାଙ୍କ ସମ୍ପତ୍ତି ମାଟିରେ ମିଶିଛି ।

ସୂଚନା ଅନୁସାରେ ପୀଡିତାକୁ ଧମକ ଚମକ ଦେଇ ସପା ନେତା ଓ ତାଙ୍କର କିଛି ସହଯୋଗୀ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ । ଯେବେ ନାବାଳିକା ଗର୍ଭବତୀ ଥିବା ପରିବାର ଲୋକ ଜାଣିଲେ ସେହି ସମୟରେ ନେତାଙ୍କ ନାଁ ସାମ୍ନାକୁ ଆସିଥିଲା । ଦୁଷ୍କର୍ମସମୟର ଭିଡିଓ ରେକର୍ଡ କରି ପିଡିତା ଓ ପରିବାରକୁ ବ୍ଲାକମେଲିଂ କରୁଥିଲେ ନେତା । ଏପରିକି ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ମାମଲାକୁ ରଫାଦଫା କରିବାକୁ ମୋଇନ ଖାନ ଧମକ,ଚମକ ଓ ଚାପ ପକାଇଥିଲେ ଓ ଏହାକୁ ବିରୋଧ କରି ଜୁଲାଇ ୨ରେ ଯୋଗୀଙ୍କୁ ଭେଟିଥିଲେ ପୀଡିତାଙ୍କ ମା

ଅଭିଯୋଗ ଶୁଣିବା ପରେ ଯୋଗୀ ସରକାର ସ୍ଥାନୀୟ ଥାନା ପ୍ରଭାରୀଙ୍କୁ ନିଲମ୍ବିତ କରିବା ସହ ସପା ନେତାଙ୍କ ଦୋକାନ ଓ ଅଫିସକୁ ବୁଲଡୋଜର ଚଳାଇ ମାଟିରେ ମିଶାଇ ଅପରାଧିଙ୍କୁ କଡ଼ା ଜବାବ ଦେଇଛନ୍ତି ।