ଫିକା ପଡ଼ିଲା ବିଜେପି ଷ୍ଟାର ପ୍ରଚାରକଙ୍କ ପ୍ରଚାର । ଅନୁମତି ନମିଳିବାରୁ ବ୍ରହ୍ମପୁର ଓ ଫୁଲବାଣୀକୁ ଯାଇପାରିଲେନି ଯୋଗୀ, ଟେଲିଫୋନ ଯୋଗେ ଦେଲେ ଉଦବୋଧନ ।

275

କନକ ବ୍ୟୁରୋ: ଟେଲିଫୋନ୍ ଯୋଗେ ଭାଷଣ ଦେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୁବନେଶ୍ୱରରୁ ବ୍ରହ୍ମପୁର ଏବଂ ଫୁଲବାଣୀ ଯିବାକୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଅନୁମତି ମିଳିନାହିଁ । ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ହେଲିକପ୍ଟରକୁ ଉଡାଣ ପାଇଁ ଅନୁମତି ନ ମିଳିବା ପରେ ଯୋଗୀ ଆଦିତ୍ୟନାଥ ଶନିବାର ଟେଲିଫୋନରେ ଭାଷଣ ଦେଇଛନ୍ତି ।

ଯୋଗୀଙ୍କ ହେଲିକପ୍ଟରରେ ନାଇଟ ଭିଜନ ନଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ହେଲିକପ୍ଟର ଉଡାଣକୁ ଅନୁମତି ଦେଇନାହାନ୍ତି । ଅନ୍ୟପକ୍ଷରେ ଯୋଗୀ ଠିକ ସମୟ ମଧ୍ୟରେ ବ୍ରହ୍ମପୁର ଓ ଫୁଲବାଣୀ ଯିବାର ସମ୍ଭବ ହୋଇପାରି ନଥିବାରୁ ସେ ଟେଲିଫୋନରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ସୂଚନା ମୁତାବକ ଯୋଗୀ ଆଦିତ୍ୟନାଥ ଆଜି ବ୍ରହ୍ମପୁର ଗସ୍ତ କରି ସେଠାରେ ବିବେକ ବିହାରରେ ଆୟୋଜିତ ଦଳୀୟ ସଭାସ୍ଥଳରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ।

ଏପରିକି ବ୍ରହ୍ମପୁରର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ କନ୍ଧମାଳର ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ପାଇଁ ଯୋଗୀ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ। ଭାରତୀୟ ଜନତା ପାର୍ଟିର ଅନ୍ୟତମ ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ ବ୍ରହ୍ମପୁର ଓ ଫୁଲବାଣୀରେ ଅନୁପସ୍ଥିତ ରହିବା ପରେ ସମର୍ଥକଙ୍କ ମନରେ ଆଘାତ ପହଂଚିଛି । ତେବେ ଯୋଗୀଙ୍କ ଅଭିଭାଷଣକୁ ଶୁଣିବା ପାଇଁ ଦୀର୍ଘ ସମୟଧରି ଅପେକ୍ଷା କରିଥିବା ବିଜେପି ସମର୍ଥକମାନେ ନିରାଶ ହୋଇଥିବା ଚର୍ଚ୍ଚା ହେଉଛି ।