କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଯୋଗ ଦିବସ ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀନଗର ସ୍ଥିତ ଶେର-ଏ- କଶ୍ମୀର ଇଂଟରନ୍ୟାସନାଲ କନଫରେନ୍ସ ସେଂଟରରେ ଯୋଗ କରିବା ସହ ଦେଶବାସୀଙ୍କୁ ବାର୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଯୋଗକୁ ନେଇ ସାରା ବିଶ୍ୱର ଚିନ୍ତାଧାରା ବଦଳିପାରିଛି । ଯୋଗକୁ ନେଇ ବିଶ୍ୱବାସୀଙ୍କ ଗ୍ରହଣିୟତା ବୃଦ୍ଧି ପାଇଛି ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଯୋଗାଭ୍ୟାସ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଥୁରାରେ ଯୋଗାଭ୍ୟସ କରିଛନ୍ତି । ଦିଲ୍ଲୀରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଯୋଗାଭ୍ୟାସ କରିବାର ଚିତ୍ର ସାମ୍ନାକୁ ଆସିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଯୋଗ ଦିବସରେ ସାମିଲ ହୋଇଛନ୍ତି ।

ବରଫାବୃତ ପାହଡ଼ ଶିଖର ଠାରୁ ନେଇ ମରୁଭୂମି ଏବଂ ଅଥଳ ସମୁଦ୍ର ଗର୍ଭରେ ମଧ୍ୟ ଯୋଗାଭ୍ୟାସର ଝଲକ ଦେଖିବାକୁ ମିଳିଛି । ସିକ୍କିମର ମୁଗଥାଙ୍ଗ୍ ସେକ୍ଟରରେ ଆଇଟିବିପି ଯବାନ ମାନ ଯୋଗ ଦିବସ ପାଳନ କରିଛନ୍ତି । ସମୁଦ୍ର ଗର୍ଭରେ ସୁରକ୍ଷାରେ ନିୟୋଜିତ ଆଇଏନ୍ଏସ୍ ଶିବାଲିକା ଓ ଆଇଏନ୍ଏସ୍ ତେଜ୍ରେ ଏବଂ ଆଇଏନଏସ ବିକ୍ରମାଦିତ୍ୟରେ ନୌସେନା ଯବାନ ଯୋଗାଭ୍ୟାସ କରିଛନ୍ତି । ଲଦାଖର ପେଙ୍ଗଙ୍ଗ୍ ହ୍ରଦ କୁଳରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଯୋଗ ନଗରୀ ରିଷିକଶେରେ ବିଦେଶୀ ଅତିଥି ଯୋଗ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇଛନ୍ତି ।

ଯୋଗ କରିବା ଦ୍ୱାରା ମଣିଷ ଶାରିରୀକ ଓ ମାନସୀକ ସ୍ତରରେ ସୁସ୍ଥ ରହିଥାଏ । ତେଣୁ ନିୟମିତ ଯୋଗାଭ୍ୟାସ କରିବାର ଆବଶ୍ୟକତା ରହିଛି । ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ ।