କନକ ବ୍ୟୁରୋ: ମହିଳାଙ୍କ ଉପରେ ମନ୍ତବ୍ୟ ଦେଇ ହରଡଘଣାରେ ଯୋଗ ଗୁରୁ ବାବା ରାମଦେବ । ଥାନେରେ ଆୟୋଜିତ ଏକ ଯୋଗ ଶିବରରେ ବାବା ରାମଦେବ କହିଛନ୍ତି ଯେ, ‘ମହିଳାମାନେ ଶାଢିରେ ଭଲ ଦେଖାଯାନ୍ତି, ସାଲୱାର ସୁଟରେ ବି ଭଲ ଦେଖାଯାନ୍ତି । ଏପରିକିି ମହିଳାମାନେ କିଛି ନପିନ୍ଧିଲେ ବି ସୁନ୍ଦର ଦେଖାଯାନ୍ତି’ ।

Advertisment

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ଅମୃତା ଫଡନାବିସ୍ ମଧ୍ୟ ଉପସ୍ଥିତ ଥିଲେ । ଏହାସହ ଏଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନେ୍ଧ ମଧ୍ୟ ଉପସ୍ଥିତ ଥିଲେ । ରାମଦେବଙ୍କ ଏଭଳି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ୱାତୀ ମଲିୱାଲ ଏହି ଭିଡିଓକୁ ସେୟାର କରିବା ସହ ବାବା ରାମଦେବଙ୍କ ଟିପ୍ପଣୀକୁ କଡା ନିନ୍ଦା କରିଛନ୍ତି । ରାମଦେବ ମହିଳାଙ୍କୁ ଅପମାନିତ କଲାଭଳି ଦେଇଥିବା ଟିପ୍ପଣୀ ପାଇଁ ଦେଶର ସବୁ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଶ୍ୱାତୀ ଦାବି କରିଛନ୍ତି ।

ଏହି ଘଟଣାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି । ଫଡନାବିସଙ୍କ ପତ୍ନୀ ଅମୃତାଙ୍କ ସାମ୍ନାରେ ରାମଦେବ ଏଭଳି ଟିପ୍ପଣୀ ଦେବା ନିନ୍ଦନୀୟ ବୋଲି ଶ୍ୱାତୀ କହିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଯେତେବେଳେ ରାମଦେବ ମହିଳାଙ୍କ ଉପରେ ଏଭଳି କଥା କହିଲେ ସେଠାରେ ଉପସ୍ଥିତ ଅମୃତା ଫଡନାବିସ୍ ଏହାର ବିରୋଧ କଲେନି କାହିଁକି ? ସରକାର ବି କାହିଁକି ନୀରବ? ରାଜ୍ୟ ସରକାର କ’ଣ ନିଜ ଜିଭକୁ କେନ୍ଦ୍ର ସରକାରଙ୍କ ପାଖରେ ବନ୍ଧା ପକାଇଛନ୍ତି କି? ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ରାଉତ ।