ପୁଣି ନିରାଶ ଯୋଗଗୁରୁ ବାବା ରାମଦେବ । କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ । ଭୁଲ ସୁଧାରିବାକୁ ଦେଲେ ୭ଦିନର ସମୟ

182

କନକ ବ୍ୟୁରୋ: ବାରମ୍ବାର କ୍ଷମା ମାଗୁଛନ୍ତି ଯୋଗ ଗୁରୁବାବା ରାମଦେବ ଓ ପତଞ୍ଜଳୀ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା କିନ୍ତୁ ଗ୍ରହଣ କରୁନାହାଁନ୍ତି ସୁପ୍ରିମକୋର୍ଟ । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ୨ୟଥର ପାଇଁ ଉଭୟ ରାମଦେବ ଓ ବାଲକ୍ର୍ରିଷ୍ଣା ଭୁଲ ମାଗିଥିଲେ ବି ଏହାକୁ ଗ୍ରହଣ କରିନାହାଁନ୍ତି କୋର୍ଟ । ଜଷ୍ଟିସ ହେମା କୋହଲୀ ଓ ଜଷ୍ଟିସ ଏ ଅମାନୁତୁଲ୍ଲାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରି କହିଛନ୍ତି ଯେ, ବିଭ୍ରାନ୍ତିକର ବିଜ୍ଞାପନ ପାଇଁ କୋର୍ଟଙ୍କଠୁ ନୁହେଁ ସାର୍ବଜନୀନ କ୍ଷମାପ୍ରାର୍ଥନା ଉଚିତ । ୭ଦିନରେ ଭୁଲ ସୁଧାରିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ ।

ଶୁଣାଣିରେ ରାମଦେବ କହିଥିଲେ ଆମ ଦ୍ୱାରା ଭୁଲ ହୋଇଛି । ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ । କୋର୍ଟ କହିଥିଲେ ଆପଣ କ’ଣ ଚିନ୍ତା କରି ମିଛ ପ୍ରଚାର କରୁଛନ୍ତି? କ’ଣ ଦେଶର ଅନେକ ଚିକିତ୍ସା ପଦ୍ଧତି ରହିଛି । କ’ଣ ଆୟୁର୍ବେଦ ବ୍ୟତୀତ ଅନ୍ୟ ଚିକିତ୍ସା ପଦ୍ଧତି ଖରାପ ଅଟେ? ବିଭ୍ରାନ୍ତିକର ପ୍ରଚାର କରି ଅସାଧ୍ୟ ରୋଗର ଉପଚାର ଦାବି କରିବା ଅନୁଚିତ ।

ରାମଦେବ କହିଥିଲେ ଏଭଳି ଭୁଲ ନଦୋହରାଇବା ଉପରେ ଧ୍ୟାନ ଦେବୁ । କୋର୍ଟଙ୍କ ଅବମାନନା କରିବା ଆମ ଉଦ୍ଦେଶ୍ୟ ନୁହେଁ । କୋର୍ଟ କହିଛନ୍ତି ଦେଶବାସୀ ଓ କୋର୍ଟ ଆପଣଙ୍କଠୁ ଏହି ଆଶା ରଖନ୍ତି ନାହିଁ । ଆପଣଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରାଯିବ ନା ନାହିଁ ଏହା ଉପରେ ବିଚାର କରାଯିବ । ଆପଣ ଏତେ ସରଳ ନୁହଁନ୍ତି ଯେ ନିଜ ଭୁଲ ଜାଣି ପାରୁନାହାଁନ୍ତି ।

ଏହା ପୂର୍ବରୁ ଏପ୍ରିଲ ୨ ଓ ୧୦ ତାରିଖରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା କୋର୍ଟରେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ କୋର୍ଟ । ରୋଗ ଭଲ କରିବା ନାଁରେ ପତଞ୍ଜଳି ନିଜ କମ୍ପାନୀ ଦ୍ୱାରା ପ୍ରସ୍ତୁତ ମେଡିସିନର ମିଛ ବ୍ରାଣ୍ଡିଂ କରୁଥିବା ନେଇ ଆସିଥିଲା ଅଭିଯୋଗ । ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏସ । ଫେବ୍ରୁଆରୀ ୨୭ରେ ସୁପ୍ରିମକୋର୍ଟ ପତଞ୍ଜଳୀ ଆର୍ୟୁବେଦକୁ କିଛି ନିର୍ଦ୍ଧିଷ୍ଟ ରୋଗ ଉପରେ ଔଷଧର ବିଜ୍ଞାପନ ପ୍ରକାଶ କରିବାକୁ ବାରଣ କରିଥିଲେ । କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବେଖାତିର କରି ବାରମ୍ବର ବିଜ୍ଞାପନ ପ୍ରକାଶ କରୁଥିଲା ପତଞ୍ଜଳି । ତେବେ ଏହି ମାମଲାରେ କୋର୍ଟଙ୍କ ଆଗାମୀ ପଦକ୍ଷେପ ଉପରେ ନଜର ରହିଛି ।