କନକ ବ୍ୟୁରୋ : ଦୁଇ ମାସ ତଳେ ରୁଷ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ କରି ପୁଟିନଙ୍କୁ ନାକେଦମ କରିଥିଲେ ୱାଗନର ସେନା ମୁଖ୍ୟ ପ୍ରିଗୋଜିନ । ଏବେ ତାଙ୍କର ମଝି ଆକାଶରେ ମୃତ୍ୟୁ ଘଟିଛି । ମସ୍କୋରୁ ସେଂଟ ପିଟର୍ସବର୍ଗ ଯାଉଥିବା ବିମାନ ଭିତରେ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ୱାଗ୍ନର ସେନା ମୁଖ୍ୟ ଏବଂ ଅନ୍ୟ ୧୦ ଜଣ ଥିଲେ । ହେଲେ ମସ୍କୋର ଉତରାଂଚଳ ଦେଇ ଯାଉଥିବା ବେଳେ ହଠାତ ୱାଗନର ସେନା ମୁଖିଆଙ୍କ ବିମାନ ଉପରୁ ତଳକୁ ଖସି ପଡିଥିଲା । ଆଉ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ହଠାତ କାହିଁକି ବିମାନଟି ତଳକୁ ଖସି ପଡିଲା । ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ପୁଟିନ ପ୍ରତିଶୋଧ ନେବାକୁ ଯାଇ ବିମାନ ଉପରକୁ ଗୁଳି ଚଳାଇ ଖସାଇ ଦେଇଛନ୍ତି ବୋଲି କିଛି କୁହାଯାଉଥିବା ବେଳେ ଆଉ କିଛି କହୁଛନ୍ତି, ଦୁର୍ଘଟଣାର ଶିକାର ହୋଇଥାଇପାରେ ବିମାନ । କିନ୍ତୁ ଦୁଇ ମାସ ତଳେ ୟେଭେଗେନି ପ୍ରିଗୋଜିନ ନେଇଥିବା ପଦକ୍ଷେପ ତାଙ୍କ ମୃତ୍ୟୁ ପଛର କାରଣ ବୋଲି କୁହାଯାଉଛି ।

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ନିଜର ଏକଛତ୍ରବାଦ ଶାସନ ପାଇଁ ବେଶ ପରିଚିତ । ୟୁକ୍ରେନ ସହ ଯୁଦ୍ଧ କରିବା ପରେ ନିଜ ଦେଶର କିଛି ଗୋଷ୍ଠୀଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଥିଲେ । କିନ୍ତୁ ପରେ ଗୋଟିଏ ପରେ ଗୋଟିଏ ସମାଲୋଚକଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା । ଏହାପରେ ଦୁଇ ମାସ ତଳେ ପ୍ରିଗୋଜିନ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଯିଏକି ଦିନେ ପୁଟିନଙ୍କ ରୋଷେୟା ରହିବା ପରେ ଘନିଷ୍ଠ ବନ୍ଧୁ ହୋଇଥିଲେ । ଆଉ ୟୁକ୍ରେନ ଯୁଦ୍ଧରେ ରୁଷ ପାଇଁ କାମ କରୁଥିଲେ । ହେଲେ ହଠାତ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଯାହା ପୁଟିନଙ୍କୁ ଗାଦିଚ୍ୟୁତ କରିବାର ଏକ ଯୋଜନା ଥିଲା ବୋଲି କୁହାଯାଏ । ତେବେ ନିଜ ଆଡକୁ ବିପଦ ବଢୁଥିବା ଦେଖି କୁଆଡେ ପ୍ରିଗୋଜିନଙ୍କ ସହ କଥା ହୋଇ ବିବାଦର ମୀମାଂସା କରିଥିଲେ ପୁଟିନ । ପରେ ପ୍ରିଗୋଜିନ ଚୁପ୍ ହୋଇଥିଲେ । କିନ୍ତୁ ଏବେ ପ୍ରିଗୋଜିନଙ୍କ ମୃତ୍ୟୁ ଅନେକ ବିବାଦ ବଢାଇଛି । ଆମେରିକା, ୟୁକ୍ରେନ ସମେତ ଅନେକ ଦେଶ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀ ଚାଲିଛି । ଋଷ ରାଷ୍ଟ୍ରପତି ଏହି କାଯ୍ୟକ୍ରମକୁ ଗସ୍ତ କରି ନାହାନ୍ତି । ଆଉ ସେ ଗସ୍ତ ନକରିବା ପଛରେ ଏହି ହତ୍ୟା ଷଡଯନ୍ତ୍ କାଯ୍ୟକାରୀ କରିବା ରହିଛି ବୋଲି କୁହାଯାଉଛି ।