ପିଆରଏମ୍ ମେଡିକାଲରୁ ଆସିଲା ଶିଶୁ ଅଦଳବଦଳ ଅଭିଯୋଗ : ପୁଅ ଜନ୍ମ ପରେ ମାଆକୁ ନବଜାତ ଶିଶୁକନ୍ୟା ଧରାଇ ଦେଇଥିବା କହିଲେ ପରିବାର

239

କନକ ବ୍ୟୁରୋ : ବାରିପଦା ପିଆରଏମ୍ ମେଡିକାଲରେ ଶିଶୁ ବଦଳ ଅଭିଯୋଗ । ପୁଅ ଜନ୍ମ ହେବା ପରେ ମା’କୁ ଧରାଇ ଦେଇଥିଲେ ନବଜାତ ଶିଶୁକନ୍ୟା । ଯାହାକୁ ନେଇ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ପ୍ରବଳ ଉତେଜନା । କୁଳିଅଣା ଥାନା ଅନ୍ତର୍ଗତ କିଶନ ଡାହି ଅଂଚଳର ରଙ୍ଗଲାଲ ସିଂ ଓ ତାଙ୍କ ପରିବାର ଲୋକେ ଆଣିଛନ୍ତି ଏଭଳି ଅଭିଯୋଗ । ଅଭିଯୋଗ ଅନୁସାରେ, ବୁଧବାର ରଙ୍ଗଲାଲଙ୍କ ପତ୍ନୀ ରଶ୍ମିତାଙ୍କ ପ୍ରସବ ବେଦନା ହେବା ପରେ ତାଙ୍କୁ ପି.ଆର.ଏମ ମେଡିକାଲକୁ ଆଣିଥିଲେ ।

ପ୍ରସୂତିକକ୍ଷର ବାରଣ୍ଡାରେ ଷ୍ଟ୍ରେଚର ଉପରେ ହିଁ ମହିଳା ଜଣକ ପୂତ୍ରସନ୍ତାନ ଜନ୍ମ ଦେଇଥିବା ରଶ୍ମିତାଙ୍କ ମାଆ କହିଛନ୍ତି । ହେଲେ କିଛି ସମୟ ପରେ ନର୍ସମାନେ ଏକ କନ୍ୟାସନ୍ତାନ ସହିତ ରଶ୍ମିତାଙ୍କୁ ବାହାରକୁ ଆଣି ପରିବାର ଲୋକଙ୍କୁ ଧରାଇ ଦେଇଥିଲେ । ପରିବାର ଲୋକେ ଅଭିଯୋଗ କରିବାରୁ ମେଡିକାଲ କର୍ମଚାରୀମାନେ ତାଙ୍କୁ ଓଲଟା ଧମକଚମକ ଦେଇଥିବା ଅଭିଯୋଗ ଆଣିଛନ୍ତି ରଶ୍ମିତାଙ୍କ ମାଆ । ତେବେ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ସେପଟେ ପରିବାରଲୋକେ ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି ।