ବଙ୍ଗୋପସାଗରରେ ଆସୁଛି ବାତ୍ୟା ‘ୟସ’ : ପାରାଦୀପ ସମୁଦ୍ରରେ ମତ୍ସଜୀବୀଙ୍କୁ ସର୍ତକ କଲା କୋଷ୍ଟଗାର୍ଡ

ଭିଏଚଏଫରେ ବିଭିନ୍ନ ଭାଷାରେ ଦିଆଗଲା ପାଣିପାଗ ସୂଚନା; ଏପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜୋରଦାର ପ୍ରସ୍ତୁତି, ମହାକାଳପଡ଼ା ଓ ରାଜନଗରରେ ମାଇକ ଯୋଗେ ପ୍ରଶାସନର ପ୍ରଚାର

281

କନକ ବ୍ୟୁରୋ : ଆସୁଛି ବାତ୍ୟା ‘ୟସ’ । ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ୨୬ ତାରିଖରେ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି ।

ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଇକ ଯୋଗେ ଲୋକଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସଚେତନ କରାଯାଉଛି । ମତ୍ସ୍ୟଜୀବୀଙ୍କୁ ବି ଏ ବାବଦରେ ସତର୍କ କରାଯାଉଛି । ବିଭିନ୍ନ ବିଭାଗ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଆବଶ୍ୟକତା ଅନୁସାରେ ଓଡ୍ରାଫ, ଏନଡିଆରଏଫକୁ ମୁତୟନ କରିବାକୁ ବ୍ୟବସ୍ଥା କରାଯାଉଛି ।

ଏପଟେ ବାତ୍ୟାକୁ ନେଇ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ଟ୍ୱିଟ କରି ସତର୍କ କରାଇ ଦେଇଛି ସୂଚନା ଓ ଲୋକସଂପର୍କ ବିଭାଗ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି । ଭାରତୀୟ ପାଣିପାଗ ବିଭାଗ ଏନେଇ ସମୟୋଚିତ ସୂଚନା ଦେଉଛି । ତେଣ ଭୟଭିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ନକରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ, ବାତ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ହୋଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳ ମହାକାଳପଡ଼ା ଓ ରାଜନଗର ବ୍ଳକର ଲୋକଙ୍କୁ ସତର୍କ କରୁଛନ୍ତି ପ୍ରଶାସନ । ମାଇକ ଯୋଗେ ଲୋକଙ୍କୁ ସତର୍କ କରୁଛି ପ୍ରଶାସନ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଉଛି । ବାତ୍ୟା ଅଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତି କରୁଛି ପ୍ରଶାସନ ।

ସେହିପରି ପାରାଦୀପରେ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି । କୋଷ୍ଟଗାର୍ଡ଼ ମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରୁଛି । ଲୋକଙ୍କୁ ପାଣିପାଗର ସୁଚନା ଦେବା ସହ ସତର୍କ ରହିବାକୁ ସଚେତନ କରୁଛି ପୋଲିସ ପ୍ରଶାସନ ।