ଗଂଜାମ ଉପକୂଳରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ହ୍ୱେଲ ସାର୍କ । ୨୫ ଫୁଟର ବିରାଟ୍ ମାଛକୁ ସମୁଦ୍ର ଭିତରକୁ ଛାଡ଼ିବା ପାଇଁ ଉଦ୍ୟମ ବେଳେ ମରିଗଲା ସାର୍କ

328

କନକ ବ୍ୟୁରୋ : ଗଂଜାମ ଉପକୂଳରେ ଜାଲରେ ପଡ଼ିଥିବା ହ୍ୱେଲ ସାର୍କ ମରିଯାଇଥିବା ସୂଚନା ମିଳିଛି । ମତ୍ସ୍ୟଜୀବୀ ମାନେ ମାଛକୁ ପାଣି ଭିତରକୁ ଛାଡିବାକୁ ଉଦ୍ୟମ କରୁଥିବା ବେଳେ ମାଛଟି ମରିଯାଇଥିବା ସୂଚନା ମିଳିଛି । ଗଂଜାମ ଜିଲ୍ଲାର ଚିକିଟ୍ ବ୍ଳକ୍ ସୋନାପୁର ସମୁଦ୍ର ନିକଟରେ ଏକ ବଡ ସାର୍କ ମାଛ ଧରିଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ । ସୋନପୁର ଅଂଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିବା ବେଳେ ହଠାତ୍ ମାଛ ଜାଲରେ ଏହି ସାର୍କ ମାଛ ଲାଗିଥିଲା ।

ସାର୍କ ମାଛଟିର ଲମ୍ବ ଥିଲା ୨୫ଫୁଟ । ପାଣି କମ୍ ଥିବାରୁ ସାର୍କଟି କିଛି ଦୂର ଯାଇ ପୁଣି କୂଳକୁ ଆସିଯାଇଥିଲା । ବନବିଭାଗ ଓ ମତ୍ସ୍ୟଜୀବୀମାନେ ମାଛଟିକୁ ପାଣି ଭିତରକୁ ନେବାକୁ ଉଦ୍ୟମ କରିଥିଲେ । କିଛି ଦିନ ତଳେ ଗୋପାଳପୁର ବେଳାଭୂମିରେ ଏହି ପ୍ରଜାତିର ସାର୍କ ହ୍ୱେଲ୍ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଥିଲା । ମତ୍ସ୍ୟଜୀବୀମାନେ ମାଛଟିକୁ ପାଣି ଭିତରକୁ ଛାଡିଦେଇଥିଲେ ।