କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନାହିଁ । ହେଲେ ରାଜନୀତି ଏତେ ସରଗରମ ହୋଇଛି ଯେ ଲାଗୁଛି ଯେମିତି ପଶ୍ଚିମବଙ୍ଗରେ ଚାଲିଛି ନିର୍ବାଚନୀ ପ୍ରଚାର । ବିଜେପି ପକ୍ଷରୁ ଶନିବାର ଠାରୁ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ ହେବାକୁ ଥିଲା ଓ ଏହାସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କ ଏକ ସଭା ପାଇଁ ପୋଲିସ ବିଭାଗ ପକ୍ଷରୁ ଅନୁମତି ମଗାଯାଇଥିଲା । ହେଲେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଜେ,ପି ନଡ୍ଡାଙ୍କ ସଭା ପାଇଁ ଅନୁମତି ମିଳିଥିବା ବେଳେ ପରିବର୍ତ୍ତନ ରଥଯାତ୍ରା ପାଇଁ ଆଜି ମଧ୍ୟାହ୍ନ ସୁଦ୍ଧା ଅନୁମତି ମିିଳିନାହିଁ । ରଥଯାତ୍ରା ପାଇଁ ଅନୁମତି ନମିଳିବାରୁ ବିଜେପି ଓ ଟିଏମସି ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ନେତା କହିଛନ୍ତି କି ପରିବର୍ତ୍ତନ ରଥଯାତ୍ରା ହେଲେ ମମତାଙ୍କ ସବୁ ଗୁମର ପଦାରେ ପଡିଯିବ । ତେଣୁ ମମତା ବାନାର୍ଜୀ ପୋଲିସ ପ୍ରଶାସନ ଉପରେ ଚାପ ପକାଇ ଆବେଦନକୁ ଖାରଜ କରିଛନ୍ତି ।
ଅନ୍ୟପଟେ ତୃଣମୂଳ କଂଗ୍ରେସ ପକ୍ଷରୁ ଶିନିବାର (ଆଜି) ଠାରୁ ଆରମ୍ଭ ହେବାକୁ ଥିବା ବାଇକ୍ ରାଲିକୁ ଅନୁମତି ଦେଇଛି ପଶ୍ଚିମବଙ୍ଗ ପୋଲିସ    । ଟିଏମସି ପକ୍ଷରୁ ନଦୀଆ ଜିଲ୍ଲାର ନବଦ୍ୱୀପରେ ଦୁଇଦିନ ଯାଏ ଏହି ରାଲି ଚାଲିବ । ଏହି ରାଲି ଛପରା ଠାରୁ ଆରମ୍ଭ ହୋଇ ତ୍ରିବେଣୀ, କୃଷ୍ଣାନଗର ଦେଇ ପଲାସୀରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଏନେଇ କୃଷ୍ଣାନଗର ପୋଲିସ ଅଧିକ୍ଷକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ନବଦ୍ୱୀପ ରାଲିକୁ ଅନୁମତି ଦିଆଯାଇଛି କିନ୍ତୁ ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ ଅନୁମତି ଦିଆଯାଇ ନାହିଁ ।