ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଅଜବ ଯୁକ୍ତି : କହିଲେ, ଲୋକଙ୍କ ରୋଜଗାର ବଢ଼ୁଛି, ତେଲ ଦର ବଢ଼ିଲେ କ୍ଷତି କ’ଣ ? 

 ୧୦ ବର୍ଷ ତଳେ ୬ ହଜାର ରୋଜଗାର କରୁଥିବା ଲୋକ ଏବେ ୫୦ ହଜାର ରୋଜଗାର କରୁଥିବା ହିସାବ କେଉଁଠୁ ପାଇଲେ ମନ୍ତ୍ରୀ

179

କନକ ବ୍ୟୁରୋ : ଦେଶରେ ମହଙ୍ଗା ମାଡକୁ ନେଇ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ବିରୋଧୀ ମଧ୍ୟ ମୋଦୀ ସରକାରଙ୍କୁ ବାରମ୍ବାର ଘେରୁଛନ୍ତି । ଏହାର ଭିତରେ ମଧ୍ୟପ୍ରଦେଶ ଶିବରାଜ ସିଂହ ସରକାରର ମନ୍ତ୍ରୀ ଏନେଇ ଏକ ଅଜବ ଯୁକ୍ତି ବାଢିଛନ୍ତି । ତୈଳ ଦର ଲଗାତର ବୃଦ୍ଧି ନେଇ କରାଯାଇଥିବା ପ୍ରଶ୍ନରେ ମନ୍ତ୍ରୀ ଉତର ଦେଇ ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିଆ କହିଛନ୍ତି, କିଛି ବର୍ଷ ହେବ ଲୋକଙ୍କ ରୋଜଗାର ବଢୁଛି ।

ଯଦି କିଛି ସାମଗ୍ରୀର ଦର ବୃଦ୍ଧି ହେଉଛି ଏହାକୁ ଗ୍ରହଣ କରିବା ଆବଶ୍ୟକ । ସେ ଆହୁରି ବି କହିଛନ୍ତି, ସରକାର ସବୁକିଛି ମାଗଣାରେ ଦେଇପାରିବେ ନାହିଁ । ଏଥିରୁ ସରକାର ମଧ୍ୟ ରାଜସ୍ୱ ପାଆନ୍ତି। ସମସ୍ତ ବିକାଶ କାର୍ଯ୍ୟ ମଧ୍ୟ ଚାଲିଛି । ଜନସାଧାରଣ ବୁଝିବା ଉଚିତ୍ ଯେ ଯଦି ଆମର ଆୟ ବୃଦ୍ଧି ପାଉଛି, ତେବେ ମହଙ୍ଗାକୁ ମଧ୍ୟ ଗ୍ରହଣ କରାଯିବା ଉଚିତ୍ । ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଡିଆ ଆହୁରି କହିଛନ୍ତି, “ଆପଣ କହିପାରିବେ ନାହିଁ, ୧୦ ବର୍ଷ ପୂର୍ବେ ମୁଁ ୬ ହଜାର ଟଙ୍କା ବେତନ ପାଉଥିଲି ଏବଂ ଆଜି ମୁଁ ୫୦ ହଜାର ଟଙ୍କା ବେତନ ପାଉଛି । ତେବେ ଆପଣ କୁହନ୍ତୁ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୦ ବର୍ଷ ପୂର୍ବେ ଯାହା ଥିଲା ଏବେ ବି ସେହି ମୂଲ୍ୟ ରହିବ , ଏହା ସମ୍ଭବ ନୁହେଁ ।

ସେ କହିଛନ୍ତି ଯେ ଯେଉଁ କର୍ମଚାରୀମାନେ ୫ ହଜାର ଟଙ୍କା ବେତନ ପାଉଥିଲେ ସେମାନେ ଆଜି ୨୫-୩୦ ହଜାର ଟଙ୍କା ବେତନ ପାଉନାହାଁନ୍ତି କି ? ବ୍ୟବସାୟୀମାନେ ଅଧିକ ମୂଲ୍ୟ ପାଉନାହାଁନ୍ତି କି ? ପନିପରିବା ଚାଷୀଙ୍କ ମୂଲ୍ୟ ବୃଦ୍ଧି ହୋଇନାହିଁ କି ? ପ୍ରତ୍ୟେକ ଶ୍ରେଣୀର ଆୟ ବୃଦ୍ଧି ପାଇଛି । କଂଗ୍ରେସ ସରକାରରେ ମହଙ୍ଗା ହୋଇନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ।