ଘୋର ସଂକଟରେ ୟେସ୍ ବ୍ୟାଙ୍କ । ବ୍ୟାଙ୍କର ବୋର୍ଡକୁ ହାତକୁ ନେଲା ରିଜର୍ଭ ବ୍ୟାଙ୍କ, ଆସନ୍ତା ୩୦ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି କୌଣସି ଗ୍ରାହକ ।

342

କନକ ବ୍ୟୁରୋ: ଆର୍ଥିକ ସଂକଟରେ ୟେସ୍ ବ୍ୟାଙ୍କ । ବ୍ୟାଙ୍କର ଅର୍ଥିକ ସ୍ଥିତି ଅଧିକ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଲାଗିଛି କଟକଣା । ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ବୋର୍ଡ ପରିଚାଳନାକୁ ହାତକୁ ନେଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜାରି କରିଛି କଟକଣା । ଏହି କଟକଣା ଅନୁସାରେ ଆସନ୍ତା ୩୦ ଦିନ ମଧ୍ୟରେ କୌଣସି ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ୟେସ୍ ବ୍ୟାଙ୍କରୁ ଉଠାଇ ପାରିବେନି । ଏନେଇ ଅର୍ଥମନ୍ତ୍ରାଳୟରୁ ଜାରି ହୋଇଛି ବିଜ୍ଞପ୍ତି । ଏହି ଟଙ୍କା ଉଠାଣର କଟକଣା ମାସକ ପାଇଁ ଲାଗୁ ହୋଇଛି ।

କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ । ନିଜର କିଂବା ନିଜ ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତିଙ୍କ ମେଡିକାଲ ଖର୍ଚ, ବିବାହ, ପାଠପଢା ପିଲାଙ୍କ ପାଠପଢା ପରି ଖର୍ଚ ତୁଲାଇବାକୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ଅନୁମତି ମିଳିବ ବୋଲି କୁହାଯାଇଛି । ଏବେ ୟେସ୍ ବ୍ୟାଙ୍କର ପରିଚାଳନା ବୋର୍ଡ ରିଜର୍ଭ ବ୍ୟାଙ୍କ ହାତକୁ ଚାଲିଯାଇଛି । ବ୍ୟାଙ୍କ ଋଣ ଆକାରରେ ପ୍ରଦାନ କରିଥିବା କୋଟି କୋଟି ଟଙ୍କା ବୁଡି ଯାଇଥିବାରୁ ଏପରି ସ୍ଥିତି ଦେଖା ଦେଇଛି । ରେଟିଂ ଏଜେନ୍ସି ଗୁଡିକ ଏହାର ରେଟିଂ ମଧ୍ୟ କମ୍ କରିଦେଇଛନ୍ତି । ଲଗାତର ଭାବେ ବ୍ୟାଙ୍କର ଅର୍ଥରାଶି ବାହାରକୁ ଚାଲିଯାଉଥିବାରୁ ବ୍ୟାଙ୍କ୍ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା କୁହାଯାଇଛି ।