ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି । ବାଲାର୍ଜୀ ଟ୍ରଷ୍ଟ ଟଙ୍କା କାଢ଼ିନେଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଚୁପ୍ ବସିଥିଲା ବୋଲି ପ୍ରଶ୍ନ କଲେ ପୃଥ୍ୱୀରାଜ

123

କନକ ବ୍ୟୁରୋ: ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ସୁରକ୍ଷିତ ନଥିବା ଖବର ସାମନାକୁ ଆସିବା ପରେ ସରକାରଙ୍କୁ ଘେରିଛି ବିଜେପି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି ବ୍ୟାଙ୍କ ବୁଡିବାକୁ ବସିଥିବା ଜାଣିବା ସତ୍ୱେ କାହିଁକି ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିଲେ ସରକାର । ସରକାର ମହାଭୁଲ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ହଡପ କରିଛନ୍ତି । ଏବେ ଏହାର ଉତର ଦାୟିତ୍ୱ କିଏ ନେବ । ଦେବୋତ୍ତର ବିଭାଗ ନା ମନ୍ତ୍ରୀ । ଡିପୋଜିଟ୍ ସ୍ୱାପିଙ୍ଗରେ ଅନିୟମିତତା ହୋଇଛି । ତେଣୁ ଏହାର ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରିବା ସହ ଶ୍ୱେତପତ୍ର ପ୍ରକାଶ କରିବାକୁ ସେ ଦାବି କରିଛନ୍ତି ।

ଶ୍ରୀମନ୍ଦିରର କୋଟି କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଫସି ରହିଥିବାବେଳେ ସାମାନାକୁ ଆସିଛି କିଭଳି କଟକଣା ଜାରି ପୂର୍ବରୁ ଗୁଜୁରାଟ କମ୍ପାନୀ ଉଠାଇ ନେଇଛି ୨୬୫ କୋଟି ଟଙ୍କା । ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଇବାର କଟକଣା ଗତ ୫ ତାରିଖରେ ଲଗାଇଥିଲା । କିନ୍ତୁ ଏହାର ମାତ୍ର କିଛି ଘଂଟା ପୂର୍ବରୁ ଗୁଜୁରାଟର ଏକ କମ୍ପାନୀ ୨୬୫ କୋଟି ଟଙ୍କା ଉଠାଇ ନେଇଛି ।

ଭଦୋଦରା ମହାନଗର ନିଗମ ପକ୍ଷରୁ ଗଠିତ ସ୍ପେଶାଲ ପରପୋଜ ଭେଇକିଲ୍ ଭଦୋଦରା ସ୍ମାର୍ଟ ସିଟି ଡେଭଲପମେଂଟ ଗତ ମଙ୍ଗଳବାର ଏହି ବ୍ୟାଙ୍କରୁ ୨୬୫ କୋଟି ଟଙ୍କା ଉଠାଇ ନେଇଥିଲା । କମ୍ପାନି ଏହି ଟଙ୍କାକୁ ୟେସ୍ ବ୍ୟାଙ୍କରୁ ଏକ ରାଷ୍ଟ୍ରାୟତ ବ୍ୟାଙ୍କକୁ ସ୍ଥାନାନ୍ତର କରି ନେଇଛି । ଫଳରେ ଏହି କମ୍ପାନୀ ନଗଦ ଅର୍ଥ ଜନିତ ସଂକଟରୁ ବଂଚି ଯାଇଛି । ହେଲେ ଏପଟେ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ୟେସ୍ ବ୍ୟାଙ୍କରେ ଫସି ଯାଇଛି ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ।