ୟେସ ବ୍ୟାଙ୍କ ସାମ୍ନାରେ ଅଭାବନୀୟ ଦୃଶ୍ୟ । ଚେକବୁକ୍ ସହ ହାତରେ ବିବାହ କାର୍ଡ ଧରି ଟଙ୍କା ଉଠାଇବାକୁ ପହଞ୍ଚିଲେ ଯୁବକ, ସାରା ରାଜ୍ୟରୁ ଆସିଲା ବ୍ୟାଙ୍କରେ ଭିଡର ଚିତ୍ର ।

508

କନକ ବ୍ୟୁରୋ : ୟେସ ବ୍ୟାଙ୍କର ପୁନରୁଦ୍ଧାର ନେଇ ସରକାର କିମ୍ବା ଆରବିଆଇ ଯୋଜନା ବାବଦରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଏପଟେ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଘନଘନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ଏହାରି ଭିତରେ ଟଙ୍କା ଉଠାଣ ନେଇ ରିଜର୍ଭ ବ୍ୟାଙ୍କର କଟକଣା ଗ୍ରାହକଙ୍କ ଅସୁବିଧାକୁ ବଢାଇ ଦେଇଛି । କିଏ ବିବାହ ଖର୍ଚ୍ଚ ତୁଲାଇବା ପାଇଁ, ତ ଆଉ କିଏ ବ୍ୟବସାୟ କାରବାର ପାଇଁ ଟଙ୍କା ଉଠାଇ ପାରୁନାହାନ୍ତି । ସେପଟେ ବ୍ୟାଙ୍କ ବୁଡିଯିବା ଆଶଙ୍କାରେ ସାରା ବାଜ୍ୟରେ ୟେସ ବ୍ୟାଙ୍କ ଶାଖାରେ ଜମିଛି ଗ୍ରାହକଙ୍କ ଭିଡ ।

ୟେସ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଆରବିଆଇ କଟକଣା ପରେ ବ୍ୟାଙ୍କ ଶାଖା ଗୁଡିକରେ ଲାଗିରହିଛି ପ୍ରବଳ ଭିଡ । ଶୁକ୍ରବାର ପରି ଶନିବାର ମଧ୍ୟ ଟଙ୍କା ଉଠାଣ ପାଇଁ ସାରା ରାଜ୍ୟରେ ୟେସ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଲମ୍ବାଧାଡି । ଏହି ଖବର ସଂଗ୍ରହ କଲାବେଳେ ଆମ କ୍ୟାମେରା ପଡିଥିଲା ଜଣେ ଯୁବକଙ୍କ ଉପରେ । ତାଙ୍କ ହାତରେ ୟେସ ବ୍ୟାଙ୍କର ଏକ ଚେକବୁକ ସହ ଥିଲା ବାହାଘର କାର୍ଡ । ପଚାରିବାରୁ ଜଣାପଡିଲା ଗତ ୪ ତାରିଖରେ ବିବାହ କରିଥିବା ଯୁବକ ଜଣଙ୍କ ଟେଂଟ ହାଉସ, ଡିଜେ ଓ ବାଜା ବାଲାଙ୍କୁ ଟଙ୍କା ଦେବା ପାଇଁ ସେ ଅସମର୍ଥ । ପ୍ରାୟ ୫ ଲକ୍ଷ ଟଙ୍କା ଆବଶ୍ୟକ ଥିବାବେଳେ ମିଳିଛି ମାତ୍ର ୫୦ ହଜାର ଟଙ୍କା ।

ଥରେ ଭାବନ୍ତୁ ବ୍ୟାଙ୍କରେ ଟଙ୍କା ଥିବ, କିନ୍ତୁ ଲୋକଙ୍କ ଟଙ୍କା ବାକି ରଖି ଆପଣଙ୍କୁ ମୁହଁ ଲୁଚାଇବାକୁ ପଡୁଥିବ । ମାସକୁ ମାତ୍ର ୫୦ ହଜାର ଟଙ୍କା ଉଠାଣର କଟକଣା ଅନେକ ଗ୍ରାହକଙ୍କୁ ଅସୁବିଧାରେ ପକାଇ ଦେଇଛି । ସମ୍ବଲପୁରର ବ୍ୟବସାୟୀ ଆଶିଷ ଶର୍ମାଙ୍କ ପ୍ରାୟ ୨୫ ଲକ୍ଷ ଟଙ୍କା ୟେସ ବ୍ୟାଙ୍କରେ ଅଛି ।

ବ୍ୟାଙ୍କ ବାହାରେ ଗ୍ରାହକଙ୍କ ଗହଳି ପୁଣିଥରେ ବିମୁଦ୍ରାୟନର ଦୃଶ୍ୟକୁ ମନେ ପକାଇ ଦେଇଛି । ଆଉ ଲୋକଙ୍କ ଅଭିଯୋଗ, ବିମୁଦ୍ରାୟନ ପରେ ହିଁ ସେମାନେ ଘରେ ଟଙ୍କା ରଖିବା ପରିବର୍ତ୍ତେ ବ୍ୟାଙ୍କରେ ଅଧିକ ଟଙ୍କା ରଖିବାକୁ ବାଧ୍ୟ ହୋଇଛନ୍ତି । ହେଲେ ବ୍ୟାଙ୍କରେ ଟଙ୍କା ଥାଇ ସୁଦ୍ଧା ନିଜର ଆବଶ୍ୟକତାକୁ ପୂରଣ କରିବାରେ ସେମାନେ ବିଫଳ ହେଉଛନ୍ତି ।

ଲୋକେ ନିଜ ସଂଚୟକୁ ବ୍ୟାଙ୍କରେ ଜମା ରଖିବା ବେଶି ସୁରକ୍ଷିତ ମନେ କରନ୍ତି । ହେଲେ ଝିଅ ବାହାଘର, ପିଲାଙ୍କ ପାଠ ପଢା, କିମ୍ବା ପରିବାର ସଦସ୍ୟଙ୍କ ଚିକିତ୍ସା ପାଇଁ ଟଙ୍କା ବ୍ୟାଙ୍କରେ ଥିବ, କିନ୍ତୁ ଆପଣଙ୍କ ପାଖରେ ନଥିବ । ଏହା କେବଳ ଗୋଟିଏ ବ୍ୟାଙ୍କ ବା ତାର ଗ୍ରାହକଙ୍କର ସମସ୍ୟା ନୁହେଁ । ଏହା ଦେଶର ସଂପୂର୍ଣ୍ଣ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ଗୋଟିଏ ବଡ ସନ୍ଦେହ ତିଆରି କରୁନାହିଁ କି ?