କନକ ବ୍ୟୁରୋ: ଆସିଗଲା ଖରାଦିନ, ରାସ୍ତା ଘାଟରେ ଏବେ ଲୋକମାନଙ୍କ ଭୋକ ଶୋଷ ମେଣ୍ଟାଇବା ପାଇଁ ତରଭୁଜ ହିଁ ସାହାରା ହୋଇଥାଏ । ରାସ୍ତା ଉପରେ ତରଭୁଜ ଦୋକାନ ଦେଖିଲେ ମାନେ ପାଦ ଆପେ ଆପେ ଅଟକିଯାଏ । ଡହଡହ ଖରାରେ ସୁଆଦିଆ ସୁଆଦିଆ ତରଭୁଜ ଖାଇବା ପାଇଁ ଲୋକମାନେ ପ୍ରବଳ ଭିଡ ଜମାଇଥାନ୍ତି । ଆଉ ସେଥିପାଇଁ ତ ଖରାଦିନ ଆରମ୍ଭରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ତରଭୁଜର ପସରା । ହେଲେ ଏବେ ଏହି ନୂଆ ରଙ୍ଗ ତରଭୁଜର ବେଶ ରହିଛି ଚାହିଦା ।

Advertisment

ଆପଣ ତ ନାଲି ତରଭୁଜ ନିଶ୍ଚେ ଖାଇଥିବେ । ଖରାଦିନେ ଲାଲ ଲାଲ ତରଭୁଜର ବେଶ ଚାହିଦା ରହିଥାଏ, ଆଉ ତରଭୁଜ କହିଲେ ମାନେ ଆମ ଆଖିକୁ ଆଗ ଲାଲ ରଙ୍ଗ ହିଁ ଆସିଥାଏ । ହେଲେ କେବେ ହଳଦିଆ ତରଭୁଜ ଆପଣ ଖାଇନଥିବେ । ଏହି ତରଭୁଜ ଆପଣଙ୍କ ପାଇଁ ପୂରା ନୂଆ । କିନ୍ତୁ ଏବେ ରାଜଧାନୀଆଙ୍କ ଭିତରେ ଏହି ତରଭୁଜ ଖାଇବା ପାଇଁ ଆଗ୍ରହ ବଢିଯାଇଛି । ଲାଲ ତରଭୁଜଠାରୁ ଏହି ତରଭୁଜ ଅଧିକ ସୁଆଦିଆ ।

ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳର ଏକ ଦୋକାନରେ ଦେଖିବାକୁ ମିଳିଛି ଏମିତି ହଳଦିଆ ତରଭୁଜ । ନାଲି ତରଭୁଜ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ହଳଦିଆ ତରଭୁଜ କେଜିକୁ ୩୦ ଟଙ୍କାରେ ବିକ୍ରି ହେଉଛି । ଏହି ହଳଦିଆ ତରଭୁଜ କେଉଁ ବିଦେଶ କିମ୍ବା ରାଜ୍ୟ ବାହାରୁ ଆସୁନାହିଁ ବରଂ କେନ୍ଦ୍ରାପଡାର ରାଜକନିକାରେ ଚାଷ ହେଉଛି । ପୂର୍ବରୁ ଲୋକେ ଗାଢ ନାଲି ରଙ୍ଗର ତରଭୁଜ ଖାଇବାକୁ ପସନ୍ଦ କରୁଥିବା ବେଳେ ଏବେ କିନ୍ତୁ ଏହି ନୂଆ ହଳଦିଆ ତରଭୁଜ ଖାଇବାକୁ ପସନ୍ଦ କରୁଛନ୍ତି ।

ଖରାର ପ୍ରକୋପ ବଢିବାରୁ ଏବେ ଖରାଦିନିଆ ଫଳର ଚାହିଦା ବଢୁଛି । ଆଉ ଗ୍ରାହକଙ୍କ ପସନ୍ଦକୁ ନଜରରେ ରଖି ଦୋକାନୀମାନେ ମଧ୍ୟ ସେମାନଙ୍କ ପସନ୍ଦର ଫଳ ବିକ୍ରି କରୁଛନ୍ତି । ଆଉ ରାଜଧାନୀବାସୀଙ୍କ ପାଇଁ ଏହି ହଳଦିଆ ତରଭୁଜ ପୂରା ନୂଆ, କିନ୍ତୁ ଏବେ ଏହାର ଚାହିଦା ଢେର ରହିଛି । ନାଲି ତରଭୁଜ ବଦଳରେ ଲୋକେ ହଳଦିଆ ତରଭୁଜ ଖାଉଛନ୍ତି, ଆଉ ଘରକୁ ମଧ୍ୟ ନେଉଛନ୍ତି ।