ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା: ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଘଡଘଡି ସହ ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ

142

କନକ ବ୍ୟୁରୋ: ଆଜି ଉପକୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଭ ବିଭାଗ ଆକଳନ କରିଛି । ବିଶେଷକରି ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ଝଡବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଭ ବିଭାଗ । ଏଥିପାଇଁ ଏସବୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପଶ୍ଚିମାଝଡ଼ ବର୍ଷାରେ ମାଲକାନଗିରିର ଏମପିଭି ୪୧ ଗାଁରେ ବ୍ୟାପକ କ୍ଷୟକ୍ଷତି । ଲଗାଣ ଘର ଭାଙ୍ଗି ଯିବା ସହ ଉଡି ଯାଇଛି ଘରର ଛପର । ପ୍ରବଳ ଝଡ଼ ବର୍ଷା ପାଇଁ ଗାଁର ୧୦ରୁ ଅଧିକ ଘର ଭାଙ୍ଗିଯାଇଥିବା ସୂଚନା ରହିଛି । ବର୍ଷାରେ କାନ୍ଥପଡ଼ି ଗାଁର ସୁଶୀଳା ମଣ୍ଡଳ ନାମକ ଜଣେ ମହିଳା ଆହତ ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଅନେକ ଲୋକଙ୍କ ଘରେ ବର୍ଷା ପାଣି ପଶିବା ଫଳରେ ଧାନ ଚାଉଳ ସହ ବହୁ ଜିନିଷ ପତ୍ର ନଷ୍ଟ ହୋଇଛି । ବହୁ ସ୍ଥାନରେ ବର୍ଷା ହେବା ଫଳରେ ଖୁସି ହୋଇଥିବାବେଳେ ବହୁ ସ୍ଥାନରେ ବର୍ଷା ଭାଙ୍ଗି ଦେଇଛି ଲୋକଙ୍କ ମେରୁଦଣ୍ଡ । ଘର ଭାଙ୍ଗିବା ସହ ଘରେ ପାଣି ପଶିବାରୁ ଲୋକେ ବହୁ ହଇରାଣ ହୋଇଛନ୍ତି । ଏବେ ବି ଜାରି ରହିଛି ପ୍ରବଳ ବର୍ଷା ।

ସେହିପରି ପ୍ରବଳ ବର୍ଷାରେ କୋରାପୁଟ ପଟ୍ଟାଙ୍ଗି ଚନ୍ଦକା ଗ୍ରାମପଞ୍ଚାୟତର ତଳକରାଢାବା ଗାଁରେ ୫ଟି ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଏପଟେ ବାଲେଶ୍ୱରରେ ବି ପଶ୍ଚିମା ଝଡ ପ୍ରଭାବରେ ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ହୋଇଛି । ପ୍ରବଳ ବର୍ଷା ଓ ପବନରେ ବସ ଉପରେ ଗଡ ପଡିଛି ଗଛ । ନୀଳଗିରି ଅଯୋଧ୍ୟା ପଞ୍ଚାୟତର ରେ ବଜ୍ରପାତରେ ଯାଇଛି ୧୬ରୁ ଅଧିକ ଗୋରୁଙ୍କ ଜୀବନ । ହଠାତ ବର୍ଷା ହେବାରୁ ୩୦ଟି ଗାଇ ଏକ ଅର୍ଧନିର୍ମିତ ଦୋକାନ ଘରେ ପଶିଯାଇଥିଲେ । ଆଉ ହଠାତ ବଜ୍ରପାତ ହୋଇଥିଲା । ପଶ୍ଚିମାଝଡ ପ୍ରଭାବରେ ଭୁବନେଶ୍ୱରରେ ବି ପବନ ସହ ବର୍ଷା ହୋଇଛି । ଗତକାଲି ସନ୍ଧ୍ୟାରେ ପାଗ ଅନୁକୂଳ ଥିବାବେଳେ ହଠାତ ପବନ ହୋଇଥିଲା । ବର୍ଷା ବି ସାମାନ୍ୟ ହୋଇଛି । ପବନ ସହ ବର୍ଷା ଯୋଗୁଁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି ।