କନକ ବ୍ୟୁରୋ : ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ୧୨ ଘଂଟାରେ ଏହା ଅବପାତରେ ରୂପ ନେବାକୁ ଯାଉଛି। ଏବେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୮ ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କ କରାଯାଇଥିବା ବେଳେ ଟ୍ୱିନସିଟି ପାଇଁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ରୁ ୧୨ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ପ୍ରବଳ ବର୍ଷା ପାଇଁ ଉପୁଜିପାରେ ଟ୍ରାଫିକ ସମସ୍ୟା, ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ତେଣୁ ଏହି ସମୟରେ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ସେହିଭଳି ପ୍ରବଳ ବର୍ଷାରେ ଜମିବାକୁ ଥିବା ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ରଖିବାକୁ ପରାମର୍ଶ ଦିଆଯାଇଛି ।