ବଙ୍ଗୋପସାଗରରେ ଆସନ୍ତାକାଲି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

388

କନକ ବ୍ୟୁରୋ: ୨୪ ଘଂଟା ମଧ୍ୟରେ ଉତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି । ଆସନ୍ତାକାଲି ବିଶେଷକରି ଉତର ଓଡିଶା ଓ ଉତର ଉପକୂଳ ଓଡିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କାଲି ପାଇଁ ୧୩ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।

ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ପୁରୀ ଓ ଅନୁୁଗୁଳ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଞ୍ଜ , କେନ୍ଦୁଝର ଓ ଢ଼େଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଏହି ସବୁ ଜିଲ୍ଲାକୁ ୨୫ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ପାଣିପାଗ ବିଭାଗର ଆକଳନ ପରେ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବିଶେଷ କରି ତଳିଆ ଅଂଚଳ ଓ କଚ୍ଚା ଘରେ ରହୁଥିବା ଲୋକମାନଙ୍କ ଉପରେ ନଜର ରଖିବାକୁ ପ୍ରଶାସନକୁ କୁହାଯାଇଛି ।