ଶପଥ ନେଲେ, ହେଲେ ଟଳିନି ବିପଦ ! କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁୟୁରପ୍ପାଙ୍କ ଆଜି ସୁପ୍ରିମକୋର୍ଟରେ ପରୀକ୍ଷା । ଏମଏଲଏ ଓ ସମର୍ଥନ ପତ୍ରର କପି ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

ଶପଥ ନେଲେ, ହେଲେ ଟଳିନି ବିପଦ ! କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁୟୁରପ୍ପାଙ୍କ ଆଜି ସୁପ୍ରିମକୋର୍ଟରେ ପରୀକ୍ଷା । ଏମଏଲଏ ଓ ସମର୍ଥନ ପତ୍ରର କପି ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

Source:Livemint

କନକ ବ୍ୟୁରୋ: ସ୍ପଷ୍ଟ ବହୁମତ ନଥାଇ କର୍ଣ୍ଣାଟକରେ ବିଜେପି ନେତା ବିଏସ୍ ୟେଦୁରପ୍ପା ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତଥାପି ତାଙ୍କ ଉପରୁ ବିପଦ ଟଳିନାହିଁ। କେଉଁ ଆଧାରରେ ସରକାର ଗଠନ ଲାଗି ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କଲେ ସେନେଇ ଜାଣିବାକୁ ଚାହିଁଛନ୍ତି ସୁପ୍ରିମ କୋର୍ଟ। କେବଳ ସେତିକି ନୁହେଁ ୟେଦୁରପ୍ପା ରାଜ୍ୟପାଳଙ୍କୁ ଦୁଇ ଦୁଇ ଥର ଦେଇଥିବା ସମର୍ଥନ ପତ୍ରର କପି ମଧ୍ୟ ମାଗିଛନ୍ତି। ଆଜି ସକାଳ ୧୦ଟା ୩୦ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି। ଏହାସହିତ ଏହି ମାମଲାର ପୁଣି ଶୁଣାଣି ହେବ।

ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଚାଲେଞ୍ଜ କରି ବୁଧବାର ରାତିରେ କଂଗ୍ରେସ ଏବଂ ଜେଡିଏସ୍ ଯେଉଁ ପିଟିସନ ଦାଖଲ କରିଥିଲେ ତାହା ଉପରେ ସୁପ୍ରିମ କୋର୍ଟରେ ରାତି ସାରା ଶୁଣାଣି ହୋଇଥିଲା। ଜଷ୍ଟିସ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚରେ ଏହି ମାମଲାର ଶୁଣାଣି ରାତି ୨ଟାରୁ ଆରମ୍ଭ ହୋଇ ସକାଳ ୫ଟାରୁ ୩୦ ପର୍ଯ୍ୟନ୍ତ ଚାଲିଥିଲା। ଶୁଣାଣି ବେଳେ ଉଭୟ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। କିନ୍ତୁ ୟେଦୁରପ୍ପାଙ୍କୁ ଆମନ୍ତ୍ରଣ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ରୋକ୍ ଲଗାଇବାକୁ ସୁପ୍ରିମ କୋର୍ଟ ମନା କରିଦେଇଥିଲେ। କହିଥିଲେ ଯେ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିହେବ ନାହିଁ। ତେବେ ସ୍ପଷ୍ଟ କରିଥିଲେ ଯେ ସରକାରର ଭାଗ୍ୟ କୋର୍ଟ ରାୟ ଉପରେ ନିର୍ଭର କରିବ। ଗତ ୧୫ ଏବଂ ୧୭ ତାରିଖରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଯେଉଁ ଦୁଇଟି ସମର୍ଥନ ପତ୍ର ଦେଇଥିଲେ ତାହା ଉପରେ କୋର୍ଟଙ୍କ ନଜର ରହିଛି। ଏହି ପତ୍ରରେ କଣ ଉଲ୍ଲେଖ ରହିଛି? ଉକ୍ତ ପତ୍ରରେ ୟେଦୁରପ୍ପା ଏମିତି କଣ ତଥ୍ୟ ଦେଇଥିଲେ ଯେଉଁଥିରେ ରାଜ୍ୟପାଳ ସନ୍ତୁଷ୍ଟ ହୋଇ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ। କଂଗ୍ରେସ-ଜେଡିଏସ୍ ମେଣ୍ଟ ଅପେକ୍ଷା ବିଜେପି ହିଁ ଶ୍ରେଷ୍ଠ ବିକଳ୍ପ ବୋଲି ରାଜ୍ୟପାଳ ଅନୁଭବ କଲେ। ୟେଦୁରପ୍ପାଙ୍କ ସମର୍ଥନ ପତ୍ରର ଅନୁଧ୍ୟାନ କରି ସୁପ୍ରିମ କୋର୍ଟ ମାମଲାର ବିଚାର କରିବେ। ତେଣୁ ଉକ୍ତ ସମର୍ଥନ ପତ୍ରର କପି ୪୮ ଘଣ୍ଟା ଭିତେରେ ସଂଗ୍ରହ କରି କୋର୍ଟରେ ଉପସ୍ଥାପନ କରିବା ନିମନ୍ତେ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି।

ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ସିଙ୍ଗଭୀ ରାଜ୍ୟପାଳଙ୍କ ଆଚରଣ ନେଇ ଆପତ୍ତି ଜଣାଇଥିଲେ । ସେ କହିଥିଲେ ଯେ ବିଧାନସଭାରେ ଶକ୍ତି ପରୀକ୍ଷା ଲାଗି ୟେଦୁରପ୍ପା ୭ ଦିନର ସମୟ ଲୋଡ଼ିଥିଲା ବେଳେ ରାଜ୍ୟପାଳ ଉଦାର ହୋଇ ତାଙ୍କୁ କାହିଁକି ୧୫ ଦିନର ସମୟ ଦେଲେ। ନିଜ ସପକ୍ଷରେ ଅଧିକ ସମର୍ଥନ ହାସଲ ନିମନ୍ତେ ବିଜେପିକୁ ଏହା ଘୋଡ଼ା ବେପାର ପାଇଁ ସୁଯୋଗ ଦେଇଛି। ବରିଷ୍ଠ ଆଇନଜୀବୀ ରାମ ଜେଠମାଲାନୀ ମଧ୍ୟ ବ୍ୟକ୍ତିଗତ ଭାବେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ତାଙ୍କ ପଦବିର ଦୁରୁପଯୋଗ କରିଛନ୍ତି। ଆଜି ତାଙ୍କ ପିଟିସନର ମଧ୍ୟ ଶୁଣାଣି ହେବ।

ଆଜି କୋର୍ଟ କଣ ରାୟ ଦେବେ ତାହାକୁ ନେଇ ଇତିମଧ୍ୟରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ କୋର୍ଟ ଶକ୍ତି ପରୀକ୍ଷା ତାରିଖ ଆଗୁଆ କରିପାରନ୍ତି। ତେଣୁ ଯାହା ପାଖରେ ଅଧିକ ସମର୍ଥନ ଥିବ ସେହି ଦଳ ବା ମେଣ୍ଟ ସରକାର ଗଠନ କରିବ। ୨୨୨ ସଭ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୧୦୪ଟି ଆସନ ମିଳିଥିବା ବେଳେ କଂଗ୍ରେସ-ଜେଡିଏସ୍ ମେଣ୍ଟକୁ ୧୧୭ଟି ଆସନ ମିଳିଛି । ଶକ୍ତି ପରୀକ୍ଷାରେ ୟେଦୁରପ୍ପା ହାରିଲେ କଂଗ୍ରେସ-ଜେଡିଏସ୍ ମେଣ୍ଟକୁ ସରକାର ଗଠନ ପାଇଁ ସୁଯୋଗ ମିଳିବ। ସରକାରିଆ କମିସନ ରିପୋର୍ଟ -୧୯୯୮ ଅନୁଯାୟୀ ସର୍ବାଧିକ ସଂଖ୍ୟା ହାସଲ କରିଥିବା ଦଳ ବିଫଳ ହେଲେ ନିର୍ବାଚନ ପରବର୍ତୀ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe