ବର୍ଷେ ପରେ ପୁଣି ଫେରିଛି ମହାମାରୀ ଭୟ । ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ପୁଣି ହେବ କି ଲକଡାଉନ?

177

କନକ ବ୍ୟୁରୋ: ଆଜିକୁ ଠିକ ବର୍ଷେ ତଳର ଏହି ଘଟଣାକୁ ନେଇ ସମସ୍ତଙ୍କ ଛାତିରେ ଛନକା ପଶିଥିଲା । ସେଦିନ ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, କିନ୍ତୁ ବିଶ୍ୱ ମହାମାରୀର ଆଶଙ୍କା ମାଡି ଆସୁଥିଲା । ବର୍ଷେ ପରେ ପୁଣି ଥରେ ଫେରିଛି ସେହି ଭୟ ।

ସବୁଠୁ ଚିନ୍ତାଜନକ କଥା ହେଉଛି, ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ର ୪୫ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ନିକଟରେ ଏହି ଅନୁଷ୍ଠାନର କନଭୋକେସନ୍ ଉତ୍ସବ ଚାଲିଥିଲା, ରାଜ୍ୟ ବାହାରୁ ମଧ୍ୟ ଅନେକ ଛାତ୍ରଛାତ୍ରୀ ଭୁବନେଶ୍ୱର ଆସିଥିଲେ । ବିଏମସି କଂଟାକ୍ଟ ଟ୍ରେସିଂ କରୁଥିବା ବେଳେ କାହିଁକି ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, କାରଣ ଖୋଜା ଚାଲିଛି । ତେବେ ଗୋଟିଏ ଇନଷ୍ଟିଚ୍ୟୁଟରୁ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି ।

ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟକୁ ସିଲ କରି ଦିଆଯାଇଛି । ଇନଷ୍ଟିଚ୍ୟୁଟ୍ ଭିତରକୁ ଓ ବାହାରକୁ ଯିବା ଆସିବା ବନ୍ଦ କରାଯାଇଛି । କେବଳ ବିଏମସିର ଅଧିକୃତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରବେଶ ଅନୁମତି ମିଳିବ । ଜରୁରୀ ସାମଗ୍ରୀ ବିଏମସି ଦ୍ୱାରା ଯୋଗାଇ ଦିଆଯିବ । ଏହାରି ଭିତରେ ଇନଷ୍ଟିଚ୍ୟୁଟ୍ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯିବ । ପଜିଟିଭ ଚିହ୍ନଟ ହେଲେ ଗୋଟିଏ ହଷ୍ଟେଲର ନିର୍ଦ୍ଦିଷ୍ଟ ରୁମରେ ସଙ୍ଗରୋଧରେ ରଖାଯିବ । ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସ୍ଥା କରିବେ ଇନଷ୍ଟିଚ୍ୟୁଟ୍ କର୍ତୃପକ୍ଷ । ଔଷଧ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ଇନଷ୍ଟିଚ୍ୟୁଟ୍ କର୍ତୃପକ୍ଷ, ବିଏମସି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।

କରୋନା ଚିହ୍ନଟ ପରେ କଟକଣା
ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟକୁ ସିଲ
ଇନଷ୍ଟିଚ୍ୟୁଟକୁ ଯିବା-ଆସିବା ବନ୍ଦ
ଯୋଗାଇ ଦିଆଯିବ ଜରୁରୀ ସାମଗ୍ରୀ ଓ ଔଷଧ
ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରାଯିବ କରୋନା ପରୀକ୍ଷା

ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିସନର ଏବଂ ଡିଏମଇଟି କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି । କରୋନ ସଂପର୍କୀତ ଗାଇଡନାଇନ୍କୁ କିଭଳି କଡାକଡି ଭାବେ ପାଳନ କରାଯିବ, କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ସେନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏବଂ ଗାଇଡଲାଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଏସପିଙ୍କୁ ନିର୍ଦେଶ ଦିଆଯାଇଛି ।

ସେପଟେ ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ମଧ୍ୟ ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳୁଛି । ଏବଂ ଆହୁରି ଅନେକ ଜଣ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ କଲେଜ କର୍ତୃପକ୍ଷ ସେମାନଙ୍କୁ ହଷ୍ଟେଲ ଛାଡି ଘରକୁ ଚାଲିଯିବାକୁ କହୁଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।