କନକ ବ୍ୟୁରୋ: ରାଜ୍ୟକୁ ମିଳିଛି ନୂଆ ଡିଜିପି। ପୁଲିସ ମହାନିର୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଓ୍ୱାଇ ବି ଖୁରାନିଆ। ଅପରାହ୍ନରେ ପୁଲିସ ମୁଖ୍ୟାଳୟରେ ଖୁରାନିଆଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି କାମଚଳା ଡିଜିପି ଅରୁଣ ଷଡଙ୍ଗୀ।

Advertisment
  • ଓଡ଼ିଶାକୁ ମିଳିଲେ ନୂଆ ପୋଲିସ ଡିଜି
  • ଦାୟିତ୍ୱ ନେଲେ ୱାଇ. ବି. ଖୁରାନିଆ

ଓଡ଼ିଶାର ପୋଲିସ ଡିଜି ଭାବେ ଜଣେ ଦବଙ୍ଗ ଅଫିସରଙ୍କୁ ଦାୟିତ୍ୱ ମିଳିଛି। ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ପୋଡି ମାମଲାରେ ଦାରା ସିଂ ଓ କଟକରେ ଆତଙ୍କ ଖେଳାଇଥିବା ଡି-ବ୍ରଦର୍ସଙ୍କୁ ଗିରଫ କରିଥିବା ଆଇପିଏସ ୱାଇ ବି ଖୁରାନିଆଙ୍କୁ ନୂଆ ଡିଜିପି ଭାବେ ଦାୟିତ୍ୱ ଦେଇଛି ଗୃହ ବିଭାଗ। ବର୍ତ୍ତମାନର ଅସ୍ଥାୟୀ ଡିଜିପି ଥିବା ଅରୁଣ କୁମାର ଷଡ଼ଙ୍ଗୀଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ନଜର ପକାନ୍ତୁ, ଆଇପିଏସ ଅଫିସର ୱାଇ ବି ଖୁରାନିଆଙ୍କ ଦୀର୍ଘ କ୍ୟାରିୟର ଉପରେ...

  • ୧୯୯୦ ବ୍ୟାଚ୍ ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆ
  • କଟକ-ଭୁବନେଶ୍ୱର ଦୈତନଗରୀରର ପୋଲିସ କମିଶନର ଥିଲେ
  • ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଏସପି ଥିଲେ
  • ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ତୁଲାଇଛନ୍ତି
  • ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ
  • ବିଏସଏଫ ସ୍ୱତନ୍ତ୍ର ଡିଜି ଭାବେ ଦାୟିତ୍ୱ ତୁଲାଇ ନିକଟରେ ଫେରିଛନ୍ତି

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଏସପି ଥିବାବେଳେ ୧୯୯୯ ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ଶିଶୁଙ୍କୁ ପୋଡି ମାରିଦେଇଥିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂକୁ ଗିରଫ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ୱାଇ. ବି. ଖୁରାନିଆ। ସେହିପରି କଟକ-ଭୁବନେଶ୍ୱର ଦୈତନଗରୀରର ପୋଲିସ କମିଶନର ଥିବା ସମୟରେ ଦୁର୍ଦ୍ଦାନ୍ତ ଧଳସାମନ୍ତ ଭାଇ ସୁଶୀଲ ଓ ସୁଶାନ୍ତଙ୍କୁ ଜେଲ ହାଜତକୁ ପଠାଇଥିଲେ।

ତେବେ ଅଗଷ୍ଟ ୨ ତାରିଖରେ କେନ୍ଦ୍ର ନିଯୁକ୍ତି ସଂପର୍କିତ କ୍ୟାବିନେଟ କମିଟି, ଖୁରାନିଆଙ୍କ ଡେପୁଟେସନ ଅବଧିକୁ କମ୍ କରି ଆଗୁଆ ନିଜ କ୍ୟାଡରକୁ ଫେରାଇ ଦେଇଥିଲେ। ବିଏସଏଫ ସ୍ୱତନ୍ତ୍ର ଡିଜି ଭାବେ କାମ କରୁଥିବାବେଳେ ତାଙ୍କୁ ଓଡ଼ିଶା ଫେରାଇ ଦିଆଯିବା ପରେ ନୂଆ ପୋଲିସ ଡିଜି ହେବା ନେଇ ଚର୍ଚ୍ଚା ଲାଗିରହିଥିଲା।