କନକ ବ୍ୟୁରୋ : ଟିମ ଇଣ୍ଡିଆର ଯୁବ ଓପନର ବ୍ୟାଟ୍ସମ୍ୟାନ ଜଶସ୍ୱୀ ଜୟସ୍ୱାଲ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିବା ଜୟସ୍ୱାଲ ଶତକ ମାରି ଚର୍ଚ୍ଚାରେ ରହିଛନ୍ତି । ଆଇପିଏଲରେ ଧମାକାଦାର ବ୍ୟାଟିଂ କରି କ୍ରିକେଟପ୍ରେମୀଙ୍କ ମନ ଜିଣିଥିବା ଜୟସ୍ୱାଲ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ମ୍ୟାଚରୁ ଦମଦାର ଫର୍ମରେ ନଜର ଆସିଛନ୍ତି । ତେବେ ଜୟସ୍ୱାଲଙ୍କ ସଂଘର୍ଷ ସମ୍ପର୍କରେ ପ୍ରାୟତଃ ସମସ୍ତେ ଅଳ୍ପ ବହୁତ ଜାଣିଛେ । ପାଣିପୁରୀ ବିକ୍ରି କରୁଥିବା ପିଲା ଯେ ଏତେ ବଡ ରେକର୍ଡ କରିବ ତାହା କେହି କେବେ ଭାବି ନଥିଲେ । କିନ୍ତୁ ନିଜର କଠିନ ପରିଶ୍ରମ ଏବଂ ଦୃଢ଼ ଇଛାଶକ୍ତି ପାଇଁ ଉତରପ୍ରଦେଶରୁ ଆସି ମୁମ୍ବାଇରେ କ୍ରିକେଟ କ୍ୟାରିୟର ଗଢ଼ିଛନ୍ତି । ପିଲାଟି ଦିନରୁ ଗରିବୀକୁ ଅତି ପାଖରୁ ଦେଖିଛନ୍ତି ଜୟସ୍ୱାଲ । ପଡ଼ିଆର ତମ୍ବୁତଳେ ରହୁଥିବା ଜୟସ୍ୱାଲ କିନ୍ତୁ ଏବେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଆପଣ ଜାଣନ୍ତି କି, କେତେ କୋଟି ଟଙ୍କାର ମାଲିକ ଜୟସ୍ୱାଲ ।

Advertisment

କ୍ରିକେଟରେ କ୍ୟାରିୟର ଗଢ଼ିବା ପାଇଁ ମାତ୍ର ୧୨ ବର୍ଷ ବୟସରେ ଉତରପ୍ରଦେଶରୁ ମୁମ୍ବାଇ ଆସିଥିଲେ ଜୟସ୍ୱାଲ । କ୍ୟାରିୟର ଗଢ଼ିବା ପାଇଁ ସେ ପାଣିପୁରୀ ବିକିବା ସହ ଅନେକ ଦୁଃଖ ସହିଛନ୍ତି । ତେବେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ୨୦୨୦ ଅଣ୍ଡର-୧୯ ବିଶ୍ୱକପରେ ଯେତେବେଳେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଂଟ ହୋଇଥିଲେ ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଆଇପିଏଲ ନିଲାମୀରେ ରାଜସ୍ଥାନ ରୟାଲ୍ସ ତାଙ୍କୁ କିଣିବା ସହ ଦଳରେ ସ୍ଥାନ ଦେଇଥିଲା । ଅଣ୍ଡର-୧୯ରେ ଦମଦାର ପ୍ରଦର୍ଶନ କରିଥିବା ଜୟସ୍ୱାଲଙ୍କୁ ୨ କୋଟି ୪୦ ଲକ୍ଷରେ କିଣିଥିଲା ରାଜସ୍ଥାନ ରୟାଲ୍ସର ଫ୍ରାଂଚାଇଜ୍ । ନିଜର ଖେଳ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଜୟସ୍ୱାଲ । ଦଳ ତାଙ୍କୁ ରଖିଥିବାବେଳେ ଦରମା ମଧ୍ୟ ବଢ଼ାଇଛି । ଜୟସ୍ୱାଲ ଏବେ ୪ କୋଟି ଟଙ୍କା ନେଉଛନ୍ତି । ଏବେ ସେ ୨୩ କୋଟି ଟଙ୍କାର ମାଲିକ ଅଟନ୍ତି । କେବଳ ଆଇପିଏଲରୁ ୧୨ କୋଟି ୮୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।

ଆଇପିଏଲ ସାଙ୍ଗକୁ ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିବା ସହ ରୋଜଗାର କରୁଛନ୍ତି । କିଛି ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି । ଏବେ ଜୟସ୍ୱାଲ ଏକ ୫ ବିଏଚକେ ଫ୍ଲାଟ କିଣିଛନ୍ତି । ଏହାପୂର୍ବରୁ ସେ ନିଜ ପରିବାର ସହ ମୁମ୍ବାଇର ସାଂଟାକ୍ରୁଜରେ ଥିବା ଏକ ୨ ବିଏଚକେ ଫ୍ଲାଟରେ ରହୁଥିଲେ । ଏବେ ସେ କିଣିଥିବା ୫ ବିଏଚକେ ଫ୍ଲାଟର ଦାମ ଯଦିଓ ସେ ଜଣାଇନାହାନ୍ତି । ତଥାପି ମାର୍କେଟ ଦାମ ଅନୁସାରେ କୋଟି କୋଟି ଟଙ୍କା ହେବ । ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବା ପରେ ଜୟସ୍ୱାଲଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଇଛି । ଚଳିତ ବର୍ଷ ଆଇପିଏଲରେ ଜୟସ୍ୱାଲ ଯେଭଳିଭାବେ ପ୍ରଦର୍ଶନ କରିଛନ୍ତି ତାହା ସମସ୍ତଙ୍କର ମନେଥିବ ନିଶ୍ଚୟ । ଦଳକୁ ଏକାକି ଅନେକ ମ୍ୟାଚ ବିଜୟୀ ମଧ୍ୟ କରାଇଛନ୍ତି ।