କରୋନା ପରେ ଆସିଲା ଆଉ ଏକ ରହସ୍ୟମୟ ଭାଇରସ ୟାରା । ବ୍ରାଜିଲର ବୈଜ୍ଞାନିକଙ୍କ ଦ୍ୱାରା ହେଲା ଚିହ୍ନଟ ।

3,451

କରୋନା ଭାଇରସକୁ ନେଇ ଏବେ ପୂରା ବିଶ୍ୱବାସୀ ଆତଙ୍କିତ । ଏହି ପ୍ରାଣଘାତୀ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରି ଚାଲିଥିବା ବେଳେ ହଜାର ହଜାର ପ୍ରାଣ ମଧ୍ୟ ନେଇ ସାରିଲାଣି । ପାଖାପାଖି ୧୨୦୦ ଲୋକ ଏହି ଭୟଙ୍କର ଭାଇରସ ପାଇଁ ପ୍ରାଣ ହରାଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଲେଣି । କେବଳ ଚୀନରେ ମୃତାହତଙ୍କ ସଂଖ୍ୟା ୧୦୦୦ ଟପିଲାଣି । ସରକାରୀ ରିପୋର୍ଟରେ ମୃତାହତଙ୍କ ସଂଖ୍ୟା ୧୦୦୦ ଥିବା ବେଳେ ବେସରକାରୀ ରିପୋର୍ଟରେ ମୃତାହତଙ୍କ ସଂଖ୍ୟା ୧୫ ହଜାରରୁ ଉଦ୍ଧ୍ୱର୍ ରହିଛି । ଏଭଳି ସାଂଘାତିକ ଭାଇରସ ପୂରା ବିଶ୍ୱବାସୀଙ୍କୁ ଡରାଇ ରଖିଥିବା ବେଳେ ଏବେ ଆଉ ଏକ ରହସ୍ୟମୟୀ ଭାଇରସ ସମ୍ପର୍କରେ ସୂଚନା ମିଳିଛି । ଏହି ଭାଇରସର ନାଁ ୟାରା ଭାଇରସ ରହିଛି ।

ବ୍ରାଜିଲର ବୈଜ୍ଞାନିକ ରହସ୍ୟମୟୀ ୟାରା ଭାଇରସକୁ ଚିହ୍ନଟ କରିଛନ୍ତି । ବିଶ୍ୱରେ ପ୍ରଥମଥର ପାଇଁ ଏଭଳି ଭାଇରସ ଚିହ୍ନଟ କରାଯାଇଥିବା ସେମାନେ ଦାବି କରିଛନ୍ତି । ୟାରା ଭାଇରସର ଜିନ୍ ଏବେ ଦେଖାଯାଉଥିବା ବିଭିନ୍ନ ଭାଇରସ ଠାରୁ ୯୦ ପ୍ରତିଶତ ଭିନ୍ନ ଓ ଏହାର ଜିନ୍ ସମ୍ପୂର୍ଣ୍ଣ ରୂପେ ଅଲଗା । ଏହାପୂର୍ବରୁ କେବେ ଏହି ଭାଇରସ ଦେଖାଯାଇ ନଥିବା ବ୍ରାଜିଲର ଫେଡ଼େରାଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଡାକ୍ତର କହିଛନ୍ତି ।
ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୦ରେ ଏହି ଭାଇରସକୁ ପ୍ରଥମେ ଚିହ୍ନଟ କରାଯାଇଥିଲା । ବ୍ରାଜିଲର ଏକ କୁତ୍ରିମ ହ୍ରଦରୁ ଏହି ଭାଇରସକୁ ଚିହ୍ନଟ କରିଥିଲେ ବିଶେଷଜ୍ଞ ଦଳ । ଏହି ଭାଇରସରେ ପାଖାପାଖି ୭୪ଟି ଜିନ ରହିଥିବା ବୈଜ୍ଞାନିକ ମାନେ କହିଛନ୍ତି । ଏହି ୭୪ଟି ଜିନ୍ ମଧ୍ୟରୁ ୬ଟି ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୮ଟି ଜିନ୍ ବା ଗୁଣସୂତ୍ର ସମ୍ବୂର୍ଣ୍ଣ ରୂପେ ନୂଆ ରହିଛି ।

ତେବେ ଏହା କେତେ ମାରାତ୍ମକ ଓ ମଣିଷ ଶରୀରକୁ ଏହି ଭାଇରସ କିଭଳି କ୍ଷତି ପହଞ୍ଚାଇବ ସେନେଇ ଗବେଷଣା ଜାରି ରହିଛି । ତେବେ ବିଶେଷଜ୍ଞଙ୍କ କହିବା ମୁତାବକ ଏହି ଭାଇରସ ଦ୍ୱାରା ମଣିଷ ସଂକ୍ରମିତ ହେବାର ଆଶଙ୍କା ନାହିଁ । ତେଣୁ ଏହାକୁ ନେଇ ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ଦଳ ।

ଏସବୁ ଭିତରେ ମାନବ ଜାତି ଯେତିକି ଆଧୁନିକତା ଆଡକୁ ବଢୁଛି ସେତିକି ନୂଆ ନୂଆ ଭାଇରସ ସାମ୍ନାକୁ ଆସୁଛି । ଆଉ ଏହାର ପ୍ରତିଷେଧକ ବ୍ୟବସ୍ଥା ଆସିବା ପୂର୍ବରୁ ହିଁ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ଯାହାର ଉଦାହରଣ ହେଉଛି ଆଫ୍ରିକାରେ ବ୍ୟାପିଥିବା ଇବୋଲା ଭାଇରସ, ମାଲେସିଆରେ ବ୍ୟାପିଥିବା ନିପାହ ଭାଇରସ । ଇବୋଲା ଭାଇରସ ଯୋଗୁଁ ପୂରା ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ମାଲେସିଆରେ ପ୍ରଥମେ ନିପାହ ଭାଇରସ ଦେଖିବାକୁ ମିଳିଥିଲା । ୨୦୧୮ରେ ଏହା ଭାରତରେ ଏଣ୍ଟ୍ରି ମାରିଥିଲା । କେରଳରେ ପ୍ରଥମେ ଏହି ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ସେତେବେଳେ ଏହି ଭାଇରସ ଯୋଗୁଁ ଦେଶରେ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।