କନକ ବ୍ୟୁରୋ: ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ଏକ ଛୋଟ ନିର୍ବାଚନ ହୋଇଥିଲେ ବି, ଏହା ଉପରେ ସାରା ରାଜ୍ୟର ନଜର ରହିଥିଲା । କାରଣ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଶୀର୍ଷରେ ପହଁଚିଥିଲା । କିନ୍ତୁ ଆଜି ଶେଷରେ ବିପିନଙ୍କ ଗୋଷ୍ଠୀର ବିଜୟ ହୋଇଛି ।

Advertisment
  • ଦିଗପହଣ୍ଡି: ବାଜି ମାରିଲା ବିଦ୍ରୋହୀ ଗୋଷ୍ଠୀ
  • ନିଦ୍ୱନ୍ଦ୍ୱରେ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାର୍ଚନରେ ବାଜିମାତ କରିବା ପରେ, ବିଜୟ ଉତ୍ସବ ମନାଇଛନ୍ତି ବିଦ୍ରୋହୀ ଗୋଷ୍ଠୀ । ଯମୁନା ନାୟକ ନିଦ୍ୱନ୍ଦ୍ୱରେ ଦିଗପହଣ୍ଡିର ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି ବିପିନଙ୍କ ସମର୍ଥକ ।

ଦୀର୍ଘ ଦିନର ଛକାପଞ୍ଝା ପରେ, ଆଜି ନିର୍ଦ୍ଧାରିତ ସମୟରେ ଯମୁନା ନାୟକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସହ ଥିଲେ ୧୪ ଜଣ ସମିତି ସଭ୍ୟ । କିନ୍ତୁ ଅନ୍ୟ ୧୦ଜଣ ସମିତି ସଭ୍ୟଙ୍କର ଦେଖା ମିଳିନଥିଲା । କି କେହି ବ୍ଲକ ଅଧକ୍ଷ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ । ଆଉ ଯମୁନା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ, ଶେଷରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଛି ।

କିଛି ମାସ ପୂର୍ବରୁ ଦିଗପହଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ହୋଇଥିଲା । ସୁନୀତାଙ୍କ ମୃତ୍ୟୁ ପରେ ବ୍ଲକ ଅଧ୍ୟକ୍ଷ ପଦ ଖାଲିପଡିଥିଲା । ଗତ ୩୧ତାରିଖରେ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ ବୋଲି ତାରିଖ ଘୋଷଣା ହୋଇଥିଲା । ହେଲେ, ଶେଷ ମୁହୂର୍ତରେ ନିର୍ବାଚନକୁ ବାତିଲ କରାଯାଇଥିଲା । ଯାହାକୁ ନେଇ ବିପିନ ପ୍ରଧାନ ଓ ବିପ୍ଲବ ପାତ୍ରଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଦିଗପହଣ୍ଡି ବ୍ଲକର ୧୪ ଜଣ ସମିତି ସମିତି ସଭ୍ୟ ବିପିନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ବ୍ଲକ ଅଧ୍ୟକ୍ଷ କରିବା ପାଇଁ ଚାହୁଁଥିବାବେଳେ ବିପ୍ଳବଙ୍କ ଗୋଷ୍ଠୀ ଅନ୍ୟ ଜଣଙ୍କୁ ଚେୟାରମ୍ୟାନ କରିବାକୁ ଚାପ ପକାଉଥିଲେ । ହେଲେ, ଶେଷରେ ଆଜି ବିଜୟୀ ହୋଇଛନ୍ତି ବିପନଙ୍କ ଗୋଷ୍ଠୀର ଯମୁନା ନାୟକ ।
ନିର୍ବାଚନ ବାତିଲ ହେବା ଦିନଠାରୁ ୧୪ଜଣ ସମିତି ସଭ୍ୟଙ୍କୁ ପଞ୍ଚାୟତର ଲୋକମାନେ ପାଳି କରି ଜଗୁଥିଲେ । ଆଉ ସୁରକ୍ଷା ଯୋଗାଇ ଦେଉଥିଲେ । ତେବେ ବିବାଦ ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ, ବିପିନଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । କିନ୍ତୁ ଆଜି ବିପିନଙ୍କ ଗୋଷ୍ଠୀର ବିଜୟ, ଦିଗପହଣ୍ଡି ରାଜନୀତିକୁ ବ୍ୟାପକ ଭାବେ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି ।