ଦିନ ବେଳେ ସ୍କୁଲ ଯାଉଛି, ରାତିରେ ପରିବା ବିକୁଛନ୍ତି ଯମୁନା। ମାଆଝିଅଙ୍କ ସଂଘର୍ଷ କାହଣୀ …

153

କନକ ବ୍ୟୁରୋ: ମୁଁ ଭଲ ପାଠ ପଢିବି । ମୁଁ ବଡ ଚାକିରୀ କରି ମୋ ମାଆ ମୁହଁରେ ହସଦେବି । ମୁଁ ମୋ ବାପାମାଆଙ୍କ ନାଁ ରଖିବି । ଅନୁଗୁଳ ସହରର ପରିବା ଦୋକାନରେ ବସିଛନ୍ତି ଜଣେ ମାଆ । ତାଙ୍କ ପାଖରେ କୁନିଝିଅ ଟିଏ ବସି ପାଠପଢୁଛି । ଯେତେବେଳେ ଗରାଖ ଆସି ପରିବା ମାଗୁଛନ୍ତି ତୁରନ୍ତ ସେ ଉଠିପଡି ନିକିତିରେ ତଉଲି ପରିବା ଦେଉଛି, ଆଉ ତାଙ୍କଠାରୁ ସେ ବାବଦ ପଇସା ରଖି ପୁଣି ପାଠପଢାରେ ବସିଯାଉଛି । ଏ କୁନି ଝିଅ ଟିର ନାଁ ହେଉଛି ଯମୁନା ନାଏକ । ସହରର ଉପରପଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠପଢୁଛନ୍ତି । ତେବେ ଘରର ପରିସ୍ଥିତି ତାଙ୍କୁ ଆଜି ଏମିତି କରିବାକୁ ବାଧ୍ୟ କରିଦେଉଛି । ସକାଳୁ ସ୍କୁଲ ଯିବା ପରେ ମାଆ ସଂଯୁକ୍ତା ନାଏକଙ୍କ ଏ ପରିବା ଦୋକାନ ବସି ମାଆଙ୍କୁ ସାହାଯ୍ୟ କରୁଛନ୍ତି ଯମୁନା । ମନରେ ଥିବା ତାଙ୍କର ଉଚ୍ଚାଭିଳାସ ଆଉ ଭଲ ପାଠପଢି ବାପାମାଆଙ୍କ ନାଁ ରଖିବାର ଆଶା ତାଙ୍କୁ ଏଭଳି କରିବାକୁ ବାଧ୍ୟ କରିଦେଇଛି । ହେଲେ ବି ସେ କେବେ ପଛକୁ ହଟିନାହାନ୍ତି । ମନ ଲଗାଇ ପାଠପଢୁଛନ୍ତି ଯମୁନା ।

ଅନୁଗୁଳ ପରଙ୍ଗ ଭୁବନପୁର ଗାଁର ସଂଯୁକ୍ତା ନାଏକଙ୍କ ଝିଅ ହେଉଛନ୍ତି ଯମୁନା ନାଏକ । ଯମୁନାଙ୍କୁ ୨ ବର୍ଷ ହୋଇଥିବା ବେଲେ ତାଙ୍କ ବାପା ଆରପାରିକୁ ଚାଲିଯାଇଥିଲେ । ଏହା ପରେ ସଂଯୁକ୍ତା ଛୋଟ ପରିବା ଦୋକାନ କରି ପରିବାରର ପେଟ ପୋଷୁଛନ୍ତି । ଦୁଃଖ କଷ୍ଟରେ ସେ ପରିବାର ଚଳାଇବା ସହ ଝିଅକୁ ମଧ୍ୟ ମଣିଷ କରୁଛନ୍ତି । ଝିଅ ମଧ୍ୟ ମାଆର ଦୁଃଖକୁ ବୁଝିବା ସହ ଦିନବେଳା ପାଠ ପଢିବା ସହ ରାତିରେ ମାଆଙ୍କୁ ଆସି ସହଯୋଗ କରୁଛନ୍ତି । ହେଲେ ଏଥିରୁ ଯେତିକି ରୋଜଗାର ହେଉଛି ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡିଛି । ସରକାରଙ୍କ ପାଖରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଉଭୟ । ତେବେ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଆମେ ସରକାରଙ୍କ ନିୟମ ଅନୁସାରେ ସହଯୋଗ କରିବୁ ।

କଅଁଳ ବୟସରେ ଯମୁନା ଆଜି ଅନେକ ସଂଘର୍ଷ କରୁଛନ୍ତି । ଯଦି ତାଙ୍କୁ ଆଉ ଟିକିଏ ସହଯୋଗ ମିଳିପାରନ୍ତା ତେବେ ସେ ମଧ୍ୟ ଅନ୍ୟମାନଙ୍କ ଭଳି ଭଲ ପାଠପଢି ବଡ ମଣିଷ ହୋଇପାରନ୍ତେ ।