ଯମୁନା ଏକ୍ସପ୍ରେସ୍ ୱେ’ର ବଦଳିବ ନାଁ । ଅଟଳ ବିହାରି ବାଜପେୟୀଙ୍କ ନାଁରେ ପାଇବ ପରିଚୟ ।

273

କନକ ବ୍ୟୁରୋ: ଯମୁନା ଏକ୍ସପ୍ରେସ୍ ୱେ’ର ନାଁ ବଦଳାଇବାକୁ ବିଚାର କରୁଛନ୍ତି ଉତ୍ତରପ୍ରଦେଶ ସରକାର । ଏହାର ନାଁ ବଦଳି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାଁରେ ନାମିତ କରିବାକୁ ଯୋଗୀ ସରକାର ନେଇଛନ୍ତି ନିଷ୍ପତ୍ତି । ଜେୱର ବିମାନବନ୍ଦର ପାଇଁ ଭୂମି ପୂଜନ ବେଳେ ଏହା ଘୋଷଣା ହୋଇପାରେ ବୋଲି ସୂଚନା ରହିଛି ।


ସୂଚନା ମୁତାବକ, ନଭେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେୱର ଆସୁଛନ୍ତି । ଏଠାରେ ସେ ଦେଶର ସର୍ବ ବୃହତ ବିମାନ ବନ୍ଦର ପାଇଁ ଭୂମି ପୂଜନ କରିବେ । ଏହାସହ ଏଠାରେ ଆୟୋଜିତ ସଭାକୁ ସମ୍ବୋଧନ କରିବେ । ଏହି ଅବସରରେ ଯମୁନା ଏକ୍ସପ୍ରେସ୍ ୱେ’ର  ନାଁ ବଦଳାଇ ଅଟଳଜୀଙ୍କ ନାଁରେ ନାମିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିପାରନ୍ତି । ଏନେଇ କୌଣସି ଔପଚାରିକ ଘୋଷଣା ହୋଇନଥିଲେ ବି ଦଳର ବରିଷ୍ଠ ନେତା ଏନେଇ ପୂର୍ବ ସୂଚନା ଦେଇଛନ୍ତି । ସେମାନଙ୍କ କହିବା କଥା ଯେ, ଅଟଳ ବିହାରୀ ବିଜେପିରେ ସୀମିତ ନହୋଇ ସବୁ ଦଳର ପ୍ରିୟ ହୋଇପାରିଥିଲେ । ତାଙ୍କୁ ସବୁ ଦଳରୁ ଶ୍ରଦ୍ଧା , ସମ୍ମାନ ମିଳିଛି । ସାରା ଦେଶବାସୀ ତାଙ୍କୁ ପସନ୍ଦ କରନ୍ତି । ତେଣୁ ଆଗାମୀ ପିଢିକୁ ତାଙ୍କର ମହାନତା ବିଷୟରେ ଜଣାଇବାକୁ ଯମୁନା ଏକ୍ସପ୍ରେସ୍ ୱେ’କୁ ତାଙ୍କ ନାଁରେ ନାମିତ କରାଯିବ । ଏହା ଅଟଳଜୀଙ୍କ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ ହୋଇପାରିବ ବୋଲି ଦଳର କିଛି ବରିଷ୍ଠ ନେତା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏହା ବିଜେପିର ରାଜନୀତି ରଣନୀତି ବୋଲି କିଛି ବିରୋଧୀ କହୁଥିବା ଶୁଣିବାକୁ ମିଳୁଛି । ଯେହେତୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବ୍ରାହ୍ମଣ ସମାଜ ଉପରେ ଆଖି ରଖିଛି ତେଣୁ ସେମାନଙ୍କୁ ଖୁସି କରିବାକୁ ଯାଇ ଯୋଗୀ ସରକାର ନାଁ ବଦଳାଇବାକୁ ଢାଲ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ବିଜେପି ଅନେକ ସ୍ଥାନର ନାଁ ବଦଳାଇବା ସହ ଅଟଳଜୀଙ୍କ ନାଁରେ ବଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛି । ଏହା ବିଜେପିର ଏକ ଭୋଟ ଚାଲ ବୋଲି ବିରୋଧୀ ମତ ଦେଇଛନ୍ତି ।