ହଠାତ୍ କରୋନା ଟିକା କେନ୍ଦ୍ରରେ ପହଂଚିଗଲେ ଯମରାଜ । କହିଲେ ମୃତ୍ୟୁକୁ ନୁହେଁ ମୋର କରୋନାକୁ ଭାରି ଡର । ଉପସ୍ଥିତ ଲୋକ ଚକିତ ।

290

କନକ ବ୍ୟୁରୋ : ଦେଶରେ ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଚାଲିଛି । କରୋନାକୁ ଶେଷ କରିବା ଲାଗି ଦେଶରେ ଚାଲିଛି ବିଶ୍ୱର ସବୁଠାରୁ ବୃହତ ଟିକାକରଣ କାର୍ଯ୍ୟକ୍ରମ । ଦେଶରେ ଏପର୍ଯ୍ୟନ୍ତ ୬୬ ଲକ୍ଷରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ହେଲେ କିଛି ଲୋକ ଏହି ଟିକା ନେବାକୁ ଭୟ କରୁଥିବା ଦେଖି ଖୋଦ ଯମରାଜ ଟିକା କେନ୍ଦ୍ରରେ ପହଂଚି ଟିକା ନେଇଛନ୍ତି ।

ବାସ୍ତବରେ ଯମରାଜ କ’ଣ ସ୍ୱର୍ଗରୁ ଆସି ପୃଥିବୀରୁ ଟିକା ନେଇଛନ୍ତି ବୋଲି ଆପଣମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଏବେ ଆମେ ବିସ୍ତାର କରୁଛୁ । ଏହି ଯମରାଜ ହେଉଛନ୍ତି ଇନ୍ଦୋର ପୋଲିସ ବିଭାଗର କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଜବାହ ସିଂହ ଜୈଦାନ । ଯେଉଁ ଲୋକମାନଙ୍କର କରୋନା ଟିକା ପ୍ରତି ଭୟ ଅଛି କିମ୍ବା ଟିକାକୁ ନେଇ ହେଉଥିବା ଅପ ପ୍ରଚାରକୁ ନେଇ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ସେମାନଙ୍କୁ ସଚେତନ କରିବାକୁ ଜବାହ ସିଂହ ଏଭଳି କରିଛନ୍ତି ।

ସେ ହଠାତ୍ ଇନ୍ଦୋରର ଏକ କରୋନା ଟିକାକରଣ କେନ୍ଦ୍ରକୁ ଯମରାଜ ବେଶରେ ସଜ୍ଜିତ ହୋଇ ଟିକା ନେବାକୁ ଆସିଥିଲେ । ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଚକିତ ହୋଇଯାଇଥିଲେ । ଏହାପରେ ଜବାହ ନିଜର ପରିଚୟ ପତ୍ର ଦେଖାଇ ଟିକା ନେଇଥିଲେ । ଟିକା ନେବା ପରେ ସେ କହିଥିଲେ କି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ , ଡରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଡରିବାର ଅଛି ତେବେ କରୋନାକୁ ଡରନ୍ତୁ ଟିକାକୁ ନୁହେଁ ବୋଲି ସେ ଉପସ୍ଥିତ ଲୋକମାନଙ୍କ କହିଥିଲେ । ଏହାସହ ଯଦି କରୋନାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ଭାବେ ଟିକା ନିଅନ୍ତୁ ଓ କରୋନା କଟକଣା ମାନନ୍ତୁ ବୋଲି ସେ ଲୋକମାନଙ୍କୁ ସଚେତନ କରାଇଥିଲେ ।