ହେଲମେଟ୍ ପିନ୍ଧିବ ନାଁ ମୋ ସହ ଯମପୂରକୁ ଯିବ ! ଯମ ବେଶରେ ବୁଲି ଲୋକଙ୍କୁ ଟ୍ରାଫିକ ନିୟମ ନେଇ ସଚେତନ କଲେ ପୋଲିସ କନେଷ୍ଟବଳ ।

552

କନକ ବ୍ୟୁରୋ : ‘ମୁଁ ଯମ, ହେଲମେଟ ପିନ୍ଧ ନଚେତ ମୋ ଦ୍ୱାର ଖୋଲା ଅଛି’ କିଛି ଏଭଳି କହି ଆଜି ସମ୍ବଲପୁରରେ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ଜଣେ ପୁଲିସ କନେଷ୍ଟବଳ । ସମ୍ୱଲପୁର ପୁଲିସ ଜେଲ ଛକଠାରେ ଟ୍ରାଫିକ ସଚେତନତା ସପ୍ତାହରେ ଏଭଳି ଅଭିନବ ଉପାୟରେ ଆଜି ଲୋକଙ୍କୁ ଟ୍ରାଫିକ ସଚେତନ କରାଯାଇଛି । ରାସ୍ତାରେ ଦିନକୁ ଦିନ ବଢୁଥିବା ଦୁର୍ଘଟଣା ଓ ହେଲମେଟ ନ ପିନ୍ଧିବା ଦ୍ଵାରା ବାଇକ ଚାଳକଙ୍କ ମୃତ୍ୟୁ ସଂଖ୍ୟାକୁ ନଜରରେ ରଖି ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯମ ଗେଟଅପରେ ନିଜକୁ ସଜ୍ଜିତ କରି କନେଷ୍ଟବଳ ଜଣକ ରାସ୍ତାରେ ବିନା ହେଲମେଟରେ ଯାଉଥିବା ବାଇକ ଚାଳକଙ୍କୁ ଅଟକାଇ ହେଲମେଟ ପିନ୍ଧିବାର ଉପାଦେୟତା ଓ ହେଲମେଟ ନ ପିନ୍ଧିଲେ କିଭଳି ଜୀବନ ଚାଲିଯାଇଥାଏ ସେ ବାବଦରେ ବୁଝାଇଥିଲେ ।

ଖାକି ପୋଷାକ ପିନ୍ଧି ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଏହି ବେଶରେ ସଜ୍ଜିତ ହୋଇ ଲୋକଙ୍କୁ ସଚେତନ କରିବାକୁ ନେଇ ସହକର୍ମୀ ମଧ୍ୟ ଉତ୍ସାହିତ କରିଥିଲେ । ଯେଉଁମାନେ ରାସ୍ତାରେ ବିନା ହେଲମେଟରେ ଯାଉଥିଲେ ସେମାନଙ୍କ ପାଖରୁ ଫାଇନ ମଧ୍ୟ ଆଦାୟ କରାଯାଇଥିଲା । କନେଷ୍ଟବଳ ଜଣକ କହିଛନ୍ତି ଯେ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ବେଶରେ ସେ ସଜ୍ଜିତ ହୋଇଛନ୍ତି, ବିନା ହେଲମେଟରେ ମୃତ୍ୟୁର ଦ୍ୱାର କିଭଳି ଖୋଲା ରହିଛି ତାହା ସେ ଲୋକଙ୍କୁ ବୁଝାଇଛନ୍ତି ।