ଉତ୍ସବମୁଖର ଶ୍ରୀକ୍ଷେତ୍ର: ଅଖଣ୍ଡ ଦୀପ ସହ ଆରମ୍ଭ ହେଲା ଯଜ୍ଞ

87

କନକ ବ୍ୟୁରୋ: ଜଗନ୍ନାଥଙ୍କ ପାଇଁ ଚାଲିଛି ଯଜ୍ଞ । ବେଦ, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଚାରି ଦ୍ୱାରରେ ବେଦପାଠ କରୁଛନ୍ତି ୬୦ଜଣ ବିଦ୍ୟାର୍ଥୀ । ଦିନକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଉଦ୍ଘାଟନ ଉତ୍ସବ । ଏହାକୁ ଭବ୍ୟ, ଆକର୍ଷଣୀୟ ଆଉ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ଓ ପୁରୀ ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । କଡା ସୁରକ୍ଷା ବଳୟ ଭିତରେ ରହିଛି ଶ୍ରୀକ୍ଷେତ୍ର । ଏବେ କେବଳ ଅପେକ୍ଷା ଉଦ୍ଘାଟନୀ ସମୟକୁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଝଲସୁଛି ଶ୍ରୀକ୍ଷେତ୍ର । ବେଦପାଠ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ । ତିନିଦିନ ବ୍ୟାପୀ ଆରମ୍ଭ ହୋଇଛି ଯଜ୍ଞ । ଯଜ୍ଞମଣ୍ଡପର ଚାରି ଦ୍ୱାରରେ ତୋରଣ ପୂଜା ପରେ ଶାଲା ପୂଜା ହୋଇଛି । ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦିକ୍ଷଣ ପଥରେ ହୋଇଛି ନାମ ସଂକୀର୍ତନ । ପବିତ୍ର ମକର ସଂକ୍ରାନ୍ତିରେ ଅଖଣ୍ଡ ଦୀପ ସ୍ଥାପନ ପରେ ଦିନ ପ୍ରାୟ ୩ଟାରେ ଶ୍ରୀମନ୍ଦିରରୁ ଅଗ୍ନି ଆସି ମହାପ୍ରଭୁଙ୍କୁ ସ୍ମରଣ କରାଯାଇ ଯଜ୍ଞ ଆରମ୍ଭ ହୋଇଛି । ଯଜ୍ଞ ମଣ୍ଡପ ଭଳି ଶ୍ରୀମନ୍ଦିରର ଚାରି ଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ ହୋଇଛି । ୬୦ ଜଣ ବିଦ୍ୟାର୍ଥୀ ଏହି ବେଦ ପାଠ କରୁଛନ୍ତିା ସିଂହଦ୍ୱାରରେ ଋକ ବେଦ, ପଶ୍ଚିମଦ୍ୱାରରେ ସାମ ବେଦ , ଉତର ଦ୍ୱାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯାଉଛି ।

ଲୋକାର୍ପଣ ଉତ୍ସବ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ପୁରୀ । ସେଥିପାଇଁ ନବନିର୍ମିତ ଶ୍ରୀସେତୁ, ଶ୍ରୀମାର୍ଗର ଟ୍ରାଏଲ ରନ୍ ବି ଆରମ୍ଭ ହୋଇଛି । ପୁରୀରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ହେଲିପ୍ୟାଡ, ଶ୍ରୀ ସେତୁ ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

-ଲୋକାର୍ପଣ ଉତ୍ସବରେ ୮୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ
-ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ
-ବୋମା ନିଷ୍କୟକାରୀ ଟିମ ବି ପ୍ରସ୍ତୁତ ରହିବେ

ମୁଖ୍ୟ ଶାସନ ସଚିବ ବି ପୁରୀ ଆସି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପରିକ୍ରମା ପ୍ରକଳ୍ପ ନେଇ ଭକ୍ତ ବି ଉତ୍ସାହିତ ଅଛନ୍ତି । ଆଜିଠାରୁ ବାହାର ରାଜ୍ୟର ଅତିଥି ଆସି ପଂହଚିବା ଆରମ୍ଭ କରିଛନ୍ତି  ଆସନ୍ତା ୧୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ବି ପୁରୀ ଆସିବେ । ୧୭ ତାରିଖ ପରେ ଶ୍ରୀସେତୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ।