ଆସୁଛି ବାତ୍ୟା : ସମୁଦ୍ରରୁ ଉଠୁଛି ବଡ ବଡ ଢେଉ; ସେପଟେ, ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ମାଡ଼ିଗଲା ସମୁଦ୍ର ପାଣି

344

କନକ ବ୍ୟୁରୋ : ମାଡି ଆସୁଛି ବାତ୍ୟା । ଏହା ପ୍ରଭାବରେ ସମୁଦ୍ରରୁ ବଡ ବଡ ଢେଉ ଉଠିଲାଣି । ସେପଟେ, ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ସମୁଦ୍ର ପାଣି ମାଡ଼ିଗଲାଣି । ମୁଖ୍ୟ ରାସ୍ତା ଉପରେ ଏକ ଫୁଟ ଉଚ୍ଚର ପାଣି ପ୍ରବାହିତ ହେବାରେ ଲାଗିଛି ।  ଆଉ ମନ୍ତେଇ ନଦୀରେ ଜୁଆରିଆ ପାଣି ଅନେକ ଗାଁ ବୁଡାଇ ଦେଇଛି । ଚିଙ୍ଗୁଡି ଘେରି ସବୁ ବୁଡ଼ି ଯାଇଛି । ଧାମରା ବନ୍ଦର ନିକଟବର୍ତ୍ତୀ ଗାଁ ସବୁ ବୁଡିଛି । ଧାମରା ଅଂଚଳରେ ବାତ୍ୟାର ତାଣ୍ଡବ ଯୋଗୁଁ ନଦୀ ବନ୍ଧ ଦେଇ ସମୁଦ୍ର ଜୁଆର ଜନବସତି ମୁହାଁ ହୋଇଛି ।

ହଜାର ହଜାର ଚିଙ୍ଗୁଡ଼ି ଘେରି ଭାଙ୍ଗି କୋଟି କୋଟି ଟଙ୍କା ବରବାଦ ହୋଇଛି । ଦୋସିଙ୍ଗ ଚନ୍ଦନୀପାଳଠାରେ ସମୁଦ୍ର ଜୁଆର ବନ୍ଧ ଭାଙ୍ଗି ଅମର ନଗର ମଧ୍ୟରେ ପାଣି ପଶିଥିବାବେଳେ ପଶିଥିବାବେଳେ ହଜାର ହଜାର ଏକର ଜମି ଲୁଣା ପାଣି ଘେରରେ ରହିଛି । ଅନ୍ୟପଟେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ରାତି ସାରା ଅନିଦ୍ରା ରହି ବାତ୍ୟାର ଗତିପଥ ଅନୁଧ୍ୟାନ କରିଛନ୍ତି ଏସଆରସି । ଘଂଟା ପ୍ରତି ୧୨ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି ବାତ୍ୟା ୟାସ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୩୦ରୁ ୧୪୦ ରହିପାରେ ।

ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଗତିକରିବ ବାତ୍ୟା । ତେବେ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପାଖାପାଖି ୫ଲକ୍ଷରୁ ଅଧିକା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲାରୁ ଅଧିକା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାପଡ଼ା, ଭଦ୍ରକ, ମୟୁରଭଂଜ, ଯାଜପୁର, କଟକ, ପୁରୀ, ଢେଙ୍କାନାଳ, କେନ୍ଦୁଝରରୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଧାମରା ବାଲେଶ୍ୱର ମଝିରେ ଲ୍ୟାଣ୍ଡଫଲ ହୋଇପାରେ ବାତ୍ୟା ୟାସ୍ ।