ପୂର୍ବ ଲଦାଖରରେ ଦୀର୍ଘ ସାତ ମାସ ହେବ ଭାରତ ସହ ଲାଗି ରହିଥିବା ବିବାଦ ପାଇଁ ଦାୟୀ ‘ପିପୁଲସ୍‌ ଲିବରେସନ୍‌ ଆର୍ମି’ର କ୍ଷମତାଶାଳୀ 'ୱେଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡର୍‌’ ଜେନେରାଲ୍‌ ଜାଓ ଜୋଙ୍ଗକ୍ୱିଙ୍କୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌‌ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଆସିଛନ୍ତି ଜେନେରାଲ୍‌ ଜାଙ୍ଗ୍‌ ଜୁଡୋଙ୍ଗ୍‌ । ପୂର୍ବରୁ ଜେନେରାଲ୍‌ ଜୁଡୋଙ୍ଗ୍‌ ଭାରତୀୟ ସୀମାନ୍ତରେ କାମ କରି ନାହାନ୍ତି । ଏବର୍ଷ ଗ୍ରୀଷ୍ମଋତୁରେ ଅବସର ଗ୍ରହଣ ବୟସ ୬୫ ବର୍ଷରେ ପଦାର୍ପଣ କରିଥିବା ଜେନେରାଲ୍‌ ଜାଓଙ୍କ ଠାରୁ ସେ ଯଥେଷ୍ଟ ସାନ । ଜେନେରାଲ୍‌ ଜାଙ୍ଗ୍‌ଙ୍କୁ ଏବେ ୫୮ ବର୍ଷ ।

Advertisment

ଜେନେରାଲ୍‌ ଜାଙ୍ଗ୍‌ଙ୍କର କୌଣସି ରାଜନୈତିକ ଅଭିସନ୍ଧି ଅଛି କି, ନାହିଁ ତାହା ଜଣାପଡ଼ିନାହିଁ ବୋଲି ଘଟଣା ଉପରେ ଦୃଷ୍ଟି ରଖିଥିବା ଚୀନ୍‌ ପର୍ଯ୍ୟବେକ୍ଷକମାନେ କହିଛନ୍ତି । ଜେନେରାଲ୍‌ ଜାଓ କିନ୍ତୁ, ଚୀନ୍‌ କମ୍ୟୁନିଷ୍ଟ୍‍ ପାର୍ଟିର କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ ଏବଂ ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ରେ ଆସନଟିଏ ଚାହୁଁଥିଲେ । ସେ ଆସନ ପାଇଥିଲେ ୭୨ ବର୍ଷ ବୟସ ପର୍ଯ୍ୟନ୍ତ ସେ ଚାକିରି କରି ପାରି ଥାଆନ୍ତେ ବୋଲି ଭାରତୀୟ ସେନାବାହିନୀ ଅନୁମାନ କରୁଥିଲା । ୨୦୧୬ରେ ଜେନେରାଲ୍‌ ଜାଓ 'ୱେଷ୍ଟର୍ଣ୍ଟ ଥିଏଟର୍‌ କମାଣ୍ଡ୍‌’ର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା । ଏଥର ଗ୍ରୀଷ୍ମକାଳରେ ସେ ଅବସର ଗ୍ରହଣ କରିବା ବୟସରେ ପହଞ୍ଚିଥିଲେ ମଧ୍ୟ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ତାଙ୍କୁ ଚାକିରିରେ ରହିବାକୁ ଅନୁମତି ପ୍ରଦାନ କରିଥିଲେ।