ମସ୍କୋରେ ଜିନପିଙ୍ଗ୍-ପୁଟିନ୍ ସାକ୍ଷାତ। ଟେନସନରେ ହ୍ୱାଇଟ୍ ହାଉସ୍

129

କନକ ବ୍ୟୁରୋ: କୂଟନୀତିରେ ଆଜିର କିଛି ଚିତ୍ର, ସାରା ବିଶ୍ୱକୁ ଦୋହଲାଇ ଦେଇଛି । ପୁଟିନଙ୍କ ସହ ଚୀନ ରାଷ୍ଟ୍ରପତି ନଜର ଆସିବା ବିଶେଷ କରି ଆମେରିକାର ନିଦ ହଜାଇ ଦେଇଛି । ସୋମବାର ଯେତେବେଳେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଛନ୍ତି, ସେତେବେଳେ ଏହି ସାକ୍ଷାତକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚିନ୍ତାରେ ପକାଇଦେଇଛି । ପୁଟିନ- ଜିନପିଙ୍ଗଙ୍କ ସାକ୍ଷାତକାରକୁ ନେଇ କାହିଁକି ଟେନସନ୍ ହୋଇପଡ଼ିଛନ୍ତି ବାଇଡେନ? ଏହି ସାକ୍ଷାତକାରକୁ ନେଇ ହ୍ୱାଇଟ୍ ହାଉସ କ’ଣ ପ୍ରତିକ୍ରିୟା ରଖିଲା? ଆଉ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ କେଉଁ କେଉଁ ପ୍ରସଙ୍ଗକୁ ନେଇ ଆଲୋଚନା ହେଲା? ଏ ସବୁ ପ୍ରଶ୍ନ ବର୍ତ୍ତମାନ ଉଠିବାରେ ଲାଗିଛି ।

ସେପଟେ ଆସନ୍ତାବର୍ଷ ଋଷରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିନପିଙ୍ଗ । ଜିନପିଙ୍ଗ କହିଛନ୍ତି, ମୁଁ ଆଶା କରୁଛି, ଚୀନ୍ ଓ ୠଷ ମଧ୍ୟରେ ଥିବା ସମ୍ପର୍କ ସମଗ୍ର ବିଶ୍ୱକୁ ନୂଆ ଦିଶା ଦେବ । ଦୁଇ ଦେଶ ପରସ୍ପରର ବିକାଶ ଦିଗରେ କାମ କରିବେ । ଏକଥା ସ୍ପଷ୍ଟ କରୁଛି ଯେ ରୁଷକୁ କେତେ ଗୁରୁତ୍ୱ ଦେଉଛନ୍ତି ଜିନପିଙ୍ଗ ।

ସେପଟେ ମାର୍ଚ୍ଚ ୧୭ ତାରିଖରେ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ ବା ଆଇସିସି ପୁଟିନଙ୍କୁ ଯୁଦ୍ଧ ଅପରାଧୀ ଘୋଷଣା କରି ଗିରଫ ୱାରେଣ୍ଟ ଜାରି କରିଥିଲେ । ଏହାର ଠିକ୍ ପରେ ଜିନପିଙ୍ଗ ମସ୍କୋରେ ପହଞ୍ଚିବା ହ୍ୱାଇଟହାଉସକୁ ବଡ଼ ବାର୍ତା ଦେଇଛି ଯେ ଯଦିଓ ଦୁନିଆର ୧୨୩ ଦେଶରେ ପୁଟିନଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି । ହୁଏତ ପୂରା ବିଶ୍ୱ କ୍ରେମଲିନଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି, କିନ୍ତୁ ବେଜିଙ୍ଗ ସର୍ବଦା ରୁଷ୍ ସହ ରହିଛି । ମସ୍କୋରେ ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ପାଖାପାଖି ୮ହଜାର କିଲୋମିଟର ଦୂରରେ ଅବସ୍ଥିତ ହ୍ୱାଇଟ୍ ହାଉସରେ ବାଇଡେନଙ୍କ ଟେନସନ୍ ବଢ଼ାଇ ଦେଇଛି ।

ନିଜର ତିନିଦିନିଆ ରୁଷ୍ ଗସ୍ତରେ ଜିନପିଙ୍ଗ ବଡ଼ ବାର୍ତ୍ତା ଦେଇଛନ୍ତି ଯେ ଚୀନ୍ କୌଣସି ପରିସ୍ଥିତିରେ ଋଷ୍ ସହ ବନ୍ଧୁତା ଛିନ୍ନ କରିବ ନାହିଁ । ଏପରିକି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଦୁର୍ବଳ ହେବ ନାହିଁ ବୋଲି ବଡ଼ ବାର୍ତ୍ତା ଦେଇଛନ୍ତି । ଅନ୍ୟପକ୍ଷରେ ଜିନପିଙ୍ଗ ଏହି ଗସ୍ତରେ ଶାନ୍ତି ପ୍ରସ୍ତାବକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଯେଉଁଠି ଋଷ୍ ଚୀନର ଶାନ୍ତି ପ୍ରସ୍ତାବକୁ ସ୍ୱାଗତ କରିଛି, ସେପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ଏହାକୁ ନେଇ କଟାକ୍ଷ କରିଛନ୍ତି ।

ଆମେରିକା ଓ ଋଷ୍ ମଧ୍ୟରୁ ଯଦି ଗୋଟିଏ ଦେଶକୁ ବାଛିବାକୁ ପଡ଼େ, ତେବେ ଚୀନ୍ ଋଷକୁ ବାଛିବ ବୋଲି ଆମେରିକା ଆଶା ରଖିଛି । କାରଣ ୟୁକ୍ରେନ୍ ଯୁଦ୍ଧର ବର୍ଷକ ପରେ ୠଷ୍ ବିରୋଧରେ ଆମେରିକାର କୌଣସି ପଦକ୍ଷେପକୁ ଚୀନ୍ ସମର୍ଥନ କରିନାହିଁ । ଆଉ ଏହାରି ଭିତରେ ତାଇୱାନ ସହ ଚୀନର ବିବାଦ ଭିତରେ ଆମେରିକାର ଯେଉଁ ଆଭିମୁଖ୍ୟକୁ ଆପଣାଇଥିଲା, ତାକୁ ନେଇ ଆମେରିକା ବିରୋଧରେ ଚୀନ୍ ହଲ୍ଲାବୋଲ ଡାକରା ଦେଇଛି । ଆଉ ଏହି ସାକ୍ଷାତ ଏହାର ଏକ ଅଧ୍ୟାୟ ବୋଲି ମଧ୍ୟ କୁହାଯାଉଛି । କିଛି ଦିନ ପୂର୍ବରୁ ଯୁଦ୍ଧକୁ ନେଇ ଚୀନର ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା ଓ ଯୁଦ୍ଧର ରୋକିବା ପାଇଁ ୟୁକ୍ରେନ-ରୁଷ ମଧ୍ୟରେ ଆଲୋଚନା ହେବା ଜରୁରୀ ବୋଲି କହିଥିଲା ଚୀନ । ଏଥିସହ ଆଣବିକ ଅସ୍ତ୍ର ବ୍ୟବହାରକୁ ନେଇ ମଧ୍ୟ ଆପତ୍ତିପ୍ରକାଶ କରିଥିଲା । ତେବେ ଚୀନ ରାଷ୍ଟ୍ରପତି ଆଗାମୀ ପଦକ୍ଷେପ କଣ ରହୁଛି ତାର ଉପରେ ସାରା ବିଶ୍ୱର ନଜର ରହିଛି ।