ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ : ସୀମାରେ ଭାରତ ଚୀନ ମୁହାଁମୁହିଁ ହେଉଥିବାବେଳେ ଜିଙ୍ଗପିଙ୍ଗଙ୍କ ବୟାନ, ଦୁଇ ଦେଶ ମଧ୍ୟରେ ବଢିପାରେ ଉତ୍ତେଜନା

ପିଏଲଏକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କ ଆହ୍ୱାନ

325

କନକ ବ୍ୟୁରୋ : ପଦାକୁ ଆସିଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚାଲ । ଜୁନ ୨୦୨୦ ରୁ ଭାରତ-ଚୀନ ମଧ୍ୟରେ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସିରେ ଲାଗି ରହିଥିବା ବିବାଦରେ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ । ଲାଗି ରହିଥିବା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ୯ମ ଥର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ ।

ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ନଥିବାବେଳେ ଏବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନ ଆର୍ମି ପିପୁଲସ ଲିବରେସନ ଆର୍ମି ବା ପିଏଲଏକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଆଗକୁ ଚୀନର ନୂଆ ବର୍ଷ ଆସୁଥିବାବେଳେ ଜିନପିଙ୍ଗ ପିଏଲଏ ବାୟୁସେନା ୟୁନିଟ୍ ଗସ୍ତ କରିଥିଲେ । ଏହି ସମୟରେ ଅଭିଭାଷଣ ଦେଇ ସମଗ୍ର ସୈନ୍ୟବାହିନୀକୁ ଜାତୀୟ ସୁରକ୍ଷା ତଥା ଲୋକଙ୍କ ସୁଖ ଓ ଶାନ୍ତି ରକ୍ଷା କରିବା ପାଇଁ ଯୁଦ୍ଧ ପ୍ରସ୍ତୁତିକୁ ଦୃଢ଼ କରିବାକୁ କହିଥିଲେ । ରାଷ୍ଟ୍ରପତିଙ୍କ ଏଭଳି ବିବୃତି ପରିସ୍ଥିତିକୁ ଗମ୍ଭୀର କରିବାର ଆଶଙ୍କା ରହିଛି ।

ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ଅକ୍ଟୋବର ୧୪ରେ ମଧ୍ୟ ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିଏଲଏକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୦ ଜୁନ ମାସରୁ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଫଳରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିପରି ଚୀନର ୪୩ ଜଣ ମୃତାହତ ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଥିଲା । ସେବେଠାରୁ ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ଦୁଇ ଦେଶ ମଧ୍ୟରେ ଉତେଜନା ଲାଗି ରହିଛି ।