କନକ ବ୍ୟୁରୋ : କରୋନା ସଂକ୍ରମଣ କମିଥିବା ବେଳେ ପୁଣି ଏକ ନୂଆ ଭାରିଆଣ୍ଟ ସତର୍କ ଘଣ୍ଟି ବଜାଇଛି । ଏକ୍ସଇ ନାମକ କରୋନାର ଏହି ନୂଆ ପ୍ରଜାତି ପୂର୍ବରୁ ବ୍ରିଟେନରେ ଚିହ୍ନଟ ହୋଇଥିବା ବେଳେ ଏବେ ମୁମ୍ବାଇରେ ଚିହ୍ନଟ ହୋଇଛି । ସବୁଠୁ ବଡ଼ କଥା ହେଲା ଏହି ପ୍ରଜାତି ଓମିକ୍ରନ ଠାରୁ ପ୍ରାୟ ୧୦ ଗୁଣା ଅଧିକ ସଂକ୍ରାମକ । ତେବେ ଏହି ପ୍ରଜାତି ଅଧିକ ଘାତକ ହୋଇ ନପାରେ ବୋଲି ଆଶ୍ୱାସନା ବାଣୀ ଶୁଣାଇଛନ୍ତି ବ୍ରିଟେନର ଜଣେ ବରିଷ୍ଠ ବୈଜ୍ଞାନିକ ।
ଦେଶରେ କରୋନା ସଂକ୍ରମଣ ଏକଦମ କମିଯାଇଥିବା ବେଳେ କଟକଣା ମଧ୍ୟ ବହୁମାତ୍ରାରେ କୋହଳ ହୋଇସାରିଛି । କିନ୍ତୁ ଏହି ସମୟରେ ଆଉ ଏକ ନୂଆ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଭାରିଆଣ୍ଟ ହେଉଛି ଏକ୍ସଇ ଭାରିଆଣ୍ଟ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁମ୍ବାଇରେ ଏହାକୁ ଚିହ୍ନଟ କରାଯାଇଛି ।
ନୂଆ ଭାରିଆଣ୍ଟ କ’ଣ ଓ କେତେ ପ୍ରଭାବୀ । ନଜର ପକାନ୍ତୁ ଏହି ତଥ୍ୟ ଉପରେ
ଏକ୍ସଇ ଭାରିଏଣ୍ଟ ଏକ ହାଇବ୍ରିଡ ଭାରିଆଣ୍ଟ
ଓମିକ୍ରନର ବିଏୱାନ ଓ ବିଏଟୁ ପ୍ରଜାତିର ସମ୍ମିଶ୍ରଣରେ ଏହି ଭାରିଏଣ୍ଟ ତିଆରି ହୋଇଛି
ଏକ୍ସଇ ଭାରିଆଣ୍ଟ ଓମିକ୍ରନ ଠାରୁ ଅଧିକ ସଂକ୍ରାମକ
ଏପରିକି ବିଏଟୁ ପ୍ରଜାତି ଠାରୁ ୧୦ ଗୁଣା ଅଧିକ ବେଗରେ ଏହା ସଂକ୍ରମଣ କରିପାରେ
ଜାନୁଆରୀ ୧୯ରେ ଏହା ପ୍ରଥମେ ବ୍ରିଟେନରେ ଚିହ୍ନଟ ହୋଇଥିଲା
ଏଯାଏଁ ବ୍ରିଟେନରେ ପ୍ରାୟ ୭ ଶହ ମାମଲା ଚିହ୍ନଟ ହୋଇଛି
ଯଦିଓ ଏହା ଅଧିକ ସଂକ୍ରାମକ, ହେଲେ କେତେ ସାଂଘାତିକ ଜଣାପଡ଼ି ନାହିଁ । ତେବେ ବ୍ରିଟେନ ସ୍ୱାସ୍ଥ୍ୟ ଏଜେନ୍ସିର ମୁଖ୍ୟ ପରାମର୍ଶଦାତା ସୁଶାନ ହପକିନ୍ସ କହିଛନ୍ତି ଯେ, ଅନ୍ୟ ଭାରିଏଣ୍ଟ ସମିଶ୍ରଣରେ ତିଆରି ହୋଇଥିବା ଏହି ପ୍ରଜାତି ବେଶୀ ସାଂଘାତିକ ନୁହେଁ ଓ ଶୀଘ୍ର ନଷ୍ଟ ହୋଇଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପ୍ରଜାତି ଉପରେ କଡ଼ା ନଜର ରଖିଥିବା ବେଳେ ଅଧିକ ଅନୁଧ୍ୟାନ କରାଯାଉଛି ।