ସମୁଦ୍ର ଭିତରେ ଫାଟିଲା ଆଗ୍ନେୟଗିରି । ସମୁଦ୍ର ଗର୍ଭରୁ ବାହାରକୁ ବାହାରିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଯୁଦ୍ଧପୋତ ।

122

କନକ ବ୍ୟୁରୋ: ଜାପାନର ରାଜଧାନୀ ଟୋକିଓର ନିକଟରେ ଥିବା ପ୍ରଶାନ୍ତ ମହାସାଗର ଭିତରେ ଏକ ଆଗ୍ନେୟଗିରି ଫାଟିବାକୁ ଲାଗିଛି । ଯାହା ଫଳରେ ସମୁଦ୍ର ଭିତରେ ପୋତି ରହିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଦୁଇ ଡର୍ଜନରୁ ଅଧିକ ଯୁଦ୍ଧ ଜାହାଜ ଏବେ ପାଣିର ବାହାରକୁ ଆସିଥିବା ଦେଖିବାକୁ ମିଳିଛି । ଜାପାନର ଅଲ୍ ନିପ୍ପୋ ନ୍ୟୁଜ ମୁତାବକ, ହେଲିକପ୍ଟର ଫୁଟେଜରୁ ଏହି ସବୁ ପୁରାତନ ଯୁଦ୍ଧ ଜାହାଜକୁ ଦେଖିବାକୁ ମିଳିଛି । ଯାହାକି ଦଶନ୍ଧୀ ଦଶନ୍ଧୀ ଧରି ସମୁଦ୍ର ଭିତରେ ବୁଡି ରହିଥିଲା ।

ଟୋକିଓରୁ ୧୨ ଶହ କିଲୋମିଟର ଦୂରରେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ଇୟୋ ଜିମୋ ଦ୍ୱୀପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପ୍ରାୟ ୨୪ଟି ଯୁଦ୍ଧପୋତକୁ ଦେଖିବାକୁ ମିଳିଛି । ଯାହାକି ବହୁ ବର୍ଷଧରି ସମୁଦ୍ର ଭିତରେ ବୁଡି ରହିଥିଲା । ତେବେ ଫୁକୁତୋକୁ-ଓକାନୋବା ଆଗ୍ନେୟଗିରି ଫାଟିବା ପରେ ଓ ଭୂମିକମ୍ପ ଆସିବା ପରେ ଏହି ସବୁ ଯୁଦ୍ଧ ଜାହାଜ ଏବେ ସମୁଦ୍ର ଭିତରୁ ବାହାରକୁ ଆସିବା ସହିତ କିଛି ଜାହାଜ କୂଳରେ ଆସି ଲାଗିଛି ।

ଏହି ସବୁ ଯୁଦ୍ଧ ଜାହାଜ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର । ଏହି ସ୍ଥାନରେ ହୋଇଥିବା ଲଢେଇକୁ ବ୍ୟାଟେଲ ଅଫ୍ ଇୟୋ ଜିୟୋ କୁହାଯାଉଥିଲା । ଏହି ସ୍ଥାନରେ ୧୯୪୫ ମସିହାରେ ଆମେରିକାର ସେନା ଓ ଜାପାନର ସେନା ମୁହାଁମୁହିଁ ହୋଇଥିଲେ । ତେବେ ୭୦ ହଜାର ଆମେରିକୀୟ ସୈନ୍ୟଙ୍କ ଆଗରେ ପରାଜୟ ବରଣ କରିଥିଲେ ୨୦ ହଜାର ଜାପାନୀ ସୈନ୍ୟ । ତେବେ ଜାପାନୀମାନଙ୍କୁ ପରାଜିତ କରିବା ପରେ ଆମେରିକୀୟ ସୈନ୍ୟମାନେ ତାଙ୍କର ଜାହାଜକୁ ନଷ୍ଟ କରିବା ସହିତ ବମ୍ ପକାଇ ଉଡାଇ ଦେଇଥିଲେ । ଯାହା ପରେ ଏହି ଯୁଦ୍ଧ ଜାହାଜ ଗୁଡିକ ପାଣି ସମୁଦ୍ରର କରାଳ ଗର୍ଭରେ ବୁଡି ଯାଇଥିଲା ।

ଜାପାନ ସରକାରଙ୍କ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ଭ୍ଲୋକାନୋ ରିସର୍ଚ୍ଚର ନିର୍ଦ୍ଦେଶକଙ୍କ କହିବା ମୁତାବକ, ଏହି ଦ୍ୱୀପ ଅଞ୍ଚଳରେ ଚଳିତ ବର୍ଷ ଅଗଷ୍ଟ ମାସରେ ଲଗାତାର ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ, ଏହି ଅଞ୍ଚଳରେ ଅନେକ ଥର ଭୂମିକମ୍ପ ମଧ୍ୟ ହୋଇଥିଲା । ଯାହା ଫଳରେ ସମୁଦ୍ର ଭିତରେ ଥିବା ବିଭିନ୍ନ ଜିନିଷ ଲଗାତାର ପାଣିର ଉପରକୁ ଆସୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ପୁରୁଣା ଦିନର ଏହି ସବୁ ଯୁଦ୍ଧ ଜାହାଜ ମଧ୍ୟ ସମୁଦ୍ରର ଉପରକୁ ଆସି ଭାସିବାକୁ ଲାଗିଥିଲା ।