କନକ ବ୍ୟୁରୋ: ଗୁଜରାଟର ସୁରଟରୁ ଓଡିଶା ଫେରିବେ ଲକ୍ଷାଧିକ ଓଡିଆ । ସ୍ୱତନ୍ତ୍ର ବସ ଜରିଆରେ ପ୍ରବାସୀ ଓଡିଆଙ୍କୁ ଓଡିଶା ଆଣିବାକୁ ଯୋଜନା କରୁଛନ୍ତି ସରକାର । ତେବେ ପ୍ରଶ୍ନ ଉଠୁଛି, ସେଠାରେ ଶ୍ରମିକଙ୍କ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ନକରି ଓଡିଶା ଆଣିବା କେତେ ଯୁକ୍ତିଯୁକ୍ତ । କାରଣ , ଯେଉଁ ଶ୍ରମିକ ମାନେ ଓଡିଶା ଆସୁଛନ୍ତି , ସେମାନେ ଗୁଜରାଟ ଭଳି ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି । ଏବଂ ବିଶେଷଜ୍ଞଙ୍କ କହିବା କଥା, ଗୁଜରାଟରେ ଆତଙ୍କ ଖେଳାଇଛି ଚୀନର ଉହାନରେ ଦେଖାଦେଇଥିବା ଏଲ୍ ଷ୍ଟ୍ରେନ୍ ଭୂତାଣୁ ।
ଦେଶରେ ମହାରାଷ୍ଟ୍ର ପରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ହେଉଛି ଗୁଜରାଟ । ତେବେ ମୃତ୍ୟୁହାରରେ ଏହି ରାଜ୍ୟ ପ୍ରଥମ । ସାରା ଦେଶରେ କୋଭିଡ୍-୧୯ ରୋଗୀଙ୍କ ମୃତ୍ୟୁହାର ୩.୧ ପ୍ରତିଶତ ଥିବା ବେଳେ ଗୁଜରାଟରେ ୪.୫ ପ୍ରତିଶତ ରହିଛି । କୁହାଯାଉଛି ଗୁଜୁରାଟରେ ମୃତ୍ୟୁର ଏହି ତାଣ୍ଡବ ପଛରେ ରହିଛି ଭୟଙ୍କର ‘ଏଲ’ ଷ୍ଟ୍ରେନ୍ କରୋନା ଭୂତାଣୁ । ଯାହା, ପୂର୍ବରୁ ଚୀନ୍ର ଉହାନ ସହରରେ ଦେଖାଯାଇଥିଲା ଏବଂ ଗଣମୃତ୍ୟୁର କାରଣ ସାଜିଥିଲା । ଡାକ୍ତରଙ୍କ ମତରେ, ଏବେ ଗୁଜରାଟରେ କରୋନା ରୋଗୀଙ୍କ ଶରୀରରେ ଦେଖାଦେଇଛି ଏଭଳି ଭୟଙ୍କର ଭୂତାଣୁ ।
କରୋନା ପାଇଁ ସାରାଦେଶ ୪୦ ଦିନିଆ ଲକଡାଉନ୍ରେ ଅଛି । ଏଭଳି ସ୍ଥିତିରେ କାମ ଧନ୍ଦା ହରାଇ ଓଡିଶା ଫେରିବାକୁ ଅପେକ୍ଷା କରିଛନ୍ତି ଗୁଜରାଟରେ ଥିବା ଲକ୍ଷାଧିକ ଓଡିଆ । ଏବଂ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମେ ୩ ତାରିଖ ପରେ ପର୍ଯ୍ୟାୟକ୍ରମେ ସ୍ୱତନ୍ତ୍ର ବସରେ ସମସ୍ତ ପ୍ରବାସୀ ଓଡିଆଙ୍କୁ ଓଡିଶା ଫେରାଇଆଣିବାକୁ ମଧ୍ୟ ଯୋଜନା କରୁଛନ୍ତି ରାଜ୍ୟ ସରକାର । ତେବେ ପ୍ରଶ୍ନ ଉଠୁଛି, ଗୁଜରାଟ ଭଳି ସଂକ୍ରମିତ ରାଜ୍ୟରୁ ଫେରୁଥିବା ଏହି ଶ୍ରମିକ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିବେ କି? ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଫେରନ୍ତା ସଂକ୍ରମଣ ବଢାଇଥିବା ବେଳେ ଗଂଜାମ ଜିଲ୍ଲା ପାଇଁ ଚିନ୍ତା ବଢାଇବେ କି ଗୁଜରାଟରୁ ଫେରୁଥିବା ପ୍ରବାସୀ ଓଡିଆ । ଏହାରି ଭିତରେ ଗୁଜୁରାଟରୁ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସେଠାରେ ହିଁ କରିବାକୁ ଦାବି ହେଉଛି ।
ମୃତ୍ୟୁହାରରେ ଗୁଜରାଟ ପ୍ରଥମ
ଦେଶରେ ମୃତ୍ୟୁହାର ୩.୧ ପ୍ରତିଶତ
ଗୁଜରାଟରେ ୪.୫ ପ୍ରତିଶତ
‘ଏଲ’ ଷ୍ଟ୍ରେନ୍ କରୋନା ଭୂତାଣୁ