ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି: ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ଭାଳିବେ ‘ମଧ୍ୟାହ୍ନ ଭୋଜନ’ ଦାୟିତ୍ୱ, ମହିଳାଙ୍କୁ ସଶକ୍ତି କରିବା ମୂଳ ଲକ୍ଷ୍ୟ ।

2,171

କନକ ବ୍ୟୁରୋ: ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନୂଆ ଦାୟିତ୍ୱ । ଏଣିକି ମିଡ୍-ଡେ-ମିଲ୍ ଦାୟିତ୍ୱରେ ରହିବେ ରାଜ୍ୟର ଏସଏଚଜି ଗ୍ରୁପ୍ ବା ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ । ଏନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟ ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ସ୍ୱିକୃତୀପ୍ରାପ୍ତ ସ୍କୁଲରେ ଯେଉଁଠାରେ ୬ରୁ ୧୪ ବର୍ଷ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି ସେଠାରେ କିଭଳି ମଧ୍ୟାହ୍ନ ଭୋଜନ ପିଲାମାନଙ୍କୁ ସଠିକ୍ ଭାବେ ବଣ୍ଟନ କରାଯିବ ସେନେଇ ରାଜ୍ୟ ସରକାର ବଡ଼ ନିଷ୍ପତି ନେଇଛନ୍ତି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକର ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବେ ଏସଏଚଜି ଗ୍ରୁପ୍ । ଆଉ ପ୍ରାୟ ୧୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ସବୁଠାରୁ ବଡ଼ କଥା ହେଲା, ମିଡ୍-ଡେ-ମିଲ୍ ଯୋଜନା ବିଶ୍ୱର ସର୍ବବୃହତ ଖାଦ୍ୟ ଯୋଗାଣ ଯୋଜନା ହୋଇଥିବା ଯୋଗୁଁ ଏହାକୁ ସଠିକ୍ ପରିଚାଳନା କରିବା ଏବଂ ଏଥିରେ ସ୍ୱୟଂ ସହାୟକ ମହିଳାଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ସଶକ୍ତି କରଣ କରିବା ରାଜ୍ୟ ସରକାରଙ୍କ ମୂଳଲକ୍ଷ୍ୟ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲର ତାଲିକା ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ)ଙ୍କୁ ପ୍ରଦାନ କରିବେ । ଏହାପରେ ଏସଏଚଜି ଗ୍ରୁପଙ୍କୁ ଚୟନ କରିବେ ଜିଲ୍ଲାପାଳ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଇଛି ।