କୋଭିଡ ହସ୍ପିଟାଲରେ ରୋଗୀ, ବାହାରେ ଦୟନୀୟ ଅବସ୍ଥାରେ ସଂପର୍କୀୟ । ସମ୍ବଲପୁରରୁ ଆସିଲା ଯନ୍ତ୍ରଣାର ସାଂଘାତିକ ଦୃଶ୍ୟ । କୋଭିଡ ରୋଗୀଙ୍କ ସଂପର୍କୀୟ ହୋଇଥିବାରୁ ପାଖ ମାଡୁନାହାନ୍ତି କେହି, ଖରା ବର୍ଷା ଭିତରେ ରାସ୍ତା କଡରେ ବିତୁଛି ଜୀବନ । 

183
କନକ ବ୍ୟୁରୋ: କିଏ ଦୋକାନ ଅଗଣାରେ ବସିଛି, ତ’ ଆଉ କିଏ ରାସ୍ତାରେ ପଡ଼ି ରହିଛି । ଯାହାର ଯେଉଁଠି ସୁବିଧା ହେଲା, ମସିଣାଟିଏ ଲେଖାଏଁ ପକାଇ ପଡ଼ି ରହିଛନ୍ତି । ଏମାନଙ୍କ ପାଖରେ ବିକଳ୍ପ ବା କ’ଣ ଅଛି । କରୋନାର ଭିନ୍ନ ଏକ କରୁଣ କାହାଣୀ ଆସିଛି ସମ୍ବଲପୁରରୁ । ଖରା ହେଉ କି ବର୍ଷା ହେଉ ଏହି ଭଳି ଅବସ୍ଥାରେ ସମ୍ବଲପୁରର ରାସ୍ତା କଡ଼ରେ ଦିନ କାଟୁଛନ୍ତି କୋଭିଡ୍ ରୋଗୀଙ୍କ ସମ୍ପର୍କୀୟ ।
ରୋଗ କାହାକୁ, ଭୋଗୁଛି କିଏ?
କୋଭିଡ୍ କଷ୍ଟର ଭିନ୍ନ ଏକ କାହାଣୀ
ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳରୁ ସମ୍ବଲପୁର କୋଭିଡ୍ ହସ୍ପିଟାଲକୁ ରେଫର୍ ହୋଇଥିବା ରୋଗୀ ସିନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଗଲେ, ହେଲେ ସେମାନଙ୍କ ରୋଗୀ ଯିବେ କୁଆଡେ? କୋଭିଡ୍ ରୋଗୀଙ୍କ ସମ୍ପର୍କୀୟ ହୋଇଥିବାରୁ କେହି ପାଖରେ ପୁରାଉନଥିବା ବି ଅଭିଯୋଗ ହେଉଛି । ଆଉ ଏଭଳି ସ୍ଥିତରେ ରାସ୍ତାକଡ଼ରେ ପଡ଼ି ରହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଦୁଇ ଦିନ ତଳେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ।
ଏହି ନିର୍ଦ୍ଦେଶ ଅନୁସାରେ-
-କୋଭିଡ୍ ରୋଗୀଙ୍କ ସମ୍ପର୍କରେ ସମ୍ପର୍କୀୟଙ୍କୁ ସୂଚନା ଦେବେ ସମସ୍ତ କୋଭିଡ୍ ହସ୍ପିଟାଲ
-ଟେଲିଫୋନ କିମ୍ବା ହ୍ୱାର୍ଟ୍ସଆପ୍ ଜରିଆରେ କୋଭିଡ୍ ରୋଗୀଙ୍କ ସମ୍ପର୍କରେ ସୂଚନା ପାଇପାରିବେ ସମ୍ପର୍କୀୟ
-ଆବଶ୍ୟକ ସ୍ଥଳେ ରୋଗୀଙ୍କ ସହ କଥାବାର୍ତ୍ତା କିମ୍ବା ସିସିଟିଭି ଜରିଆରେ ଦେଖିବାର ବନ୍ଦୋବସ୍ତ କରାଯିବ
– ଏଥିପାଇଁ ସବୁ କୋଭିଡ୍ ହସ୍ପିଟାଲକୁ ହେଲ୍ପ ଡେସ୍କ ନିର୍ମାଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି
ହୁଏତ ଏହି ନିର୍ଦ୍ଦେଶ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନଥିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏଭଳି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । କିନ୍ତୁ ଏସବୁ ଭିତରେ ସମ୍ପର୍କୀୟ, ରୋଗୀଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଏଭଳି ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି ।