ଓଡିଶା ଉପରେ ଜାତୀୟ ଗଣମାଧ୍ୟମର ନଜର ଏମିତି । ଓଡିଶାକୁ ଆସିନି, ପଶ୍ଚିମବଙ୍ଗରେ ମାଡ ହୋଇ ବାଂଲାଦେଶକୁ ଫେରିଛି ‘ଫୋନି’ ।

254

କନକ ବ୍ୟୁରୋ : ସାରା ବିଶ୍ୱର ଗଣମାଧ୍ୟମରେ ବାତ୍ୟା ‘ଫୋନି’ ବର୍ତ୍ତମାନର ସବୁଠାରୁ ବଡ ଖବର ପାଲଟିଛି । ବିଶେଷ କରି ସାମୁଦ୍ରିକ ଝଡ ଫୋନିରେ ଓଡିଶା ସର୍ବାଧିକ ପ୍ରଭାବିତ ହୋଇଛି । କେଇ ଘଣ୍ଟାର ସମୟ ମଧ୍ୟରେ ଛାରଖାର ହୋଇଯାଇଛି ସବୁକିଛି । ଆଉ ଏହାରି ଭିତରେ ଉପକୂଳ ଓଡିଶାବାସୀ ଦୁଃଖ ଦୁର୍ଦ୍ଦିନରେ ଦିନ କାଟୁଥିବା ବେଳେ, ଓଡିଶାବାସୀଙ୍କ ଏହି ଦୁଃଖ ଏବଂ ଓଡିଶାର କ୍ଷୟକ୍ଷତିର ଚିତ୍ର କିଛି ଜାତୀୟ ଗଣମାଧ୍ୟମ ଆଖିରେ ବୋଧହୁଏ ପଡିପାରିନାହିଁ ।

ସବୁଠାରୁ ବଡ କଥା ହେଉଛି, ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ବାତ୍ୟା ଫୋନିକୁ ନେଇ ଭୁଲ ଖବର ସ୍ଥାନିତ କରିଛି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ବାତ୍ୟା ଫୋନି ପଶ୍ଚିମବଙ୍ଗରେ ମାଡ ହୋଇ ବାଂଲାଦେଶ ଆଡକୁ ଚାଲିଯାଇଛି । ଓଡିଶାରେ ଫୋନି ଏତେ ତାଣ୍ଡବ ରଚିଲା ପରେ ମଧ୍ୟ କିଭଳି ଏମିତି ଆଶ୍ଚର୍ଯ୍ୟଜନକ ଖବର ଏକ ଜାତୀୟ ଗଣମାଧ୍ୟମ ପ୍ରସାରିତ କରୁଛି, ସେନେଇ ଉଠୁଛି ପ୍ରଶ୍ନ ।

ସେହିପରି ସାମୁଦ୍ରିକ ଝଡ ‘ଫୋନି’ ଉପକୂଳ ଓଡିଶାର ନକ୍ସା ପରିବର୍ତ୍ତନ କରିଦେଇଥିବା ବେଳେ, ବୋଧହୁଏ ହିନ୍ଦୁସ୍ତାନ ଟାଇମ୍ସ ଆଖିରେ ପଡିପାରିଲାନି ଓଡିଶାର କ୍ଷୟକ୍ଷତି । ଗତକାଲି ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ, ବାତ୍ୟା ଫୋନି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ଝାରଖଣ୍ଡରେ ମାଡ ହୋଇଛି । ଓଡିଶାର ନାଁ ମଧ୍ୟ ଉକ୍ତ ଖବରକାଗଜରେ ପ୍ରକାଶିତ ହୋଇନାହିଁ । ଏକ ଜାତୀୟ ଗଣମାଧ୍ୟମ ହିସାବରେ ହିନ୍ଦୁସ୍ତାନ ଟାଇମ୍ସର ଏଭଳି ଖବର ଭାରତୀୟ ସାମ୍ବାଦିକତାର ମୁଣ୍ଡ ନୁଆଁଇଦେଇଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ହିନ୍ଦୁସ୍ତାନ ଟାଇମ୍ସକୁ ଓଡିଶାରେ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି ହେଉଛି ।