ନବରଙ୍ଗପୁର ଉମରକୋଟରେ ପରୀକ୍ଷା ନାଁରେ ଚାଲିଛି ଫାର୍ସ । ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ୪୦ ନମ୍ବରର ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କୁ ମିଳିଛି ୮୭ ମାର୍କ

ଅନଲାଇନରେ ମାର୍କସିଟ୍ ଦେଖି ତାଜୁବ୍ ଛାତ୍ର

568

କନକ ବ୍ୟୁରୋ: ପରୀକ୍ଷା ସରିଲା ପରେ ପରୀକ୍ଷାର୍ଥୀଙ୍କ ଅପେକ୍ଷା ଥାଏ ଫଳାଫଳକୁ । ଫଳାଫଳର ମାର୍କ ତା ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ କରିଥାଏ । ଗୋଟିଏ ବିଷୟରେ ଜଣେ ପରୀକ୍ଷାର୍ଥୀ ସମାନ ପ୍ରତିଶତ ମାର୍କ ରଖିଥିବା ଆପଣ ଶୁଣିଥିବେ ନିଶ୍ଚୟ କିନ୍ତୁ ପରୀକ୍ଷା ହୋଇଥିବା ମାର୍କଠାରୁ ଯଦି ଅଧିକା ମାର୍କ ରଖିଥିବେ ସେଭଳି କ୍ଷେତ୍ରରେ ପରୀକ୍ଷାର୍ଥୀ ଖୁସି ହେବେ ନା ଦୁଃଖ ପ୍ରକାଶ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜେ । ଏଭଳି ଘଟଣା ମନରେ କୌତୁହଳ ଜାତ କରୁଥିଲେ ମଧ୍ୟ ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରୁଥିବା ବୋର୍ଡ ପରୀକ୍ଷାରେ ବୋର୍ଡ କତ୍ତୃପକ୍ଷଙ୍କ ଖାମ ଖିଆଲି ମନୋଭାବର ଓ ତ୍ରୁଟି ପୂର୍ଣ୍ଣ ମାର୍କ ପ୍ରଦାନର ଶିକାର ହୋଇଛନ୍ତି ଜଣେ ପରୀକ୍ଷାର୍ଥୀ ।

ଜାଲିଆତିର ସବୁ ସୀମା ଟପିଗଲା ଶିକ୍ଷା ବିଭାଗ । ଏହି ମାର୍କସିଟ ହିଁ ପ୍ରମାଣ କରୁଛି କେମିତି ଚାଲିଛି ଶିକ୍ଷା ବିଭାଗ । ଯେଉଁଠି ୪୦ ମାର୍କର ପରୀକ୍ଷା ଦେଲେ ପରୀକ୍ଷାର୍ଥୀଙ୍କୁ ମିଳୁଛି ୮୭ ମାର୍କ । ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ସ୍ଥିତ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରୁ । ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱିତୀୟ ବର୍ଷର ଛାତ୍ର ତପନ ଗଣ୍ଡଙ୍କ ପ୍ରଥମ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି । ଅନଲାଇନରେ ପ୍ରକାଶ ପାଇଥିବା ମାର୍କ ସିଟ୍ ଦେଖି ତପନ ନିଜେ ବିଚଳିତ ହୋଇଯାଇଥିଲେ । ହିନ୍ଦୀ ଥିଓରୀ ବିଷୟରେ ମୋଟ ୪୦ ମାର୍କର ପରୀକ୍ଷା ଦେଇଥିବା ତପନଙ୍କୁ ମିଳିଛି ୮୭ ନମ୍ବର । ଅର୍ଥାତ୍ ଫୁଲ ମାର୍କଠାରୁ ୪୭ ମାର୍କ ଅଧିକ ମିଳିଛି । ଏନେଇ ସେ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ଅବଗତ କରାଇଥିବା କହିଛନ୍ତି ।

କେମିତି ପରୀକ୍ଷା ଦେଲେ ୪୦ରୁ ମିଳେ ୮୭? ଏଥିପାଇଁ କାହାକୁ ଦାୟୀ କରାଯିବ। ମୂଲ୍ୟାୟନ କରିଥିବା ଶିକ୍ଷକ ନା ବୋର୍ଡ? ପରୀକ୍ଷା ଦେଇଥିବା ଛାତ୍ର ନିଜ ମାର୍କସିଟ୍କୁ ଦେଖି ଆଶ୍ଚଯ୍ୟ ହେଉଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ । ସେପଟେ ଖାତାରେ ନମ୍ବର ସାରଣୀକରଣ ଓ ମୂଲ୍ୟାୟନ ବେଳେ ଏଭଳି ତ୍ରୁଟି ହୋଇଥାଇପାରେ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ । ତେବେ ସେ ସାରଣୀକରଣ ତ୍ରୁଟି ହେଉ ବା ମୂଲ୍ୟାୟନରେ, ଏବେ ମୋଟ ମାର୍କରୁ ଅଧିକ ନମ୍ବର ଠାରୁ ଅଧିକ ଆସିଲା ବୋଲି ଘଟଣାବାବଦରେ ଛାତ୍ରଛାତ୍ରୀ ଜାଣି ପାରିଲେ । ଯଦି ଏପରି ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀ ପ୍ରକୃତ ମାର୍କଠାରୁ କମ୍ ମାର୍କ ଦିଆଯାଏ, ତେବେ ଏହା ଏକ ସାଂଘାତିକ ଘଟଣା ।